Unknown

 

 

 

 

 

 

 

 

 

 

ଓମାର୍‌ ରୁବାୟତ୍

ଶ୍ରୀ ଗୋପାଳ କାନୁନ୍‌ଗୋ

 

 

 

 

 

Image

 

(୧)

 

ଓମାର ଖୟାମଙ୍କର ପ୍ରକୃତ ଦର୍ଶନ ଏ ଅନୁବାଦରେ ଅଧିକ ସ୍ପଷ୍ଟ ହୋଇଛି- ଏହା ଓଡ଼ିଆ ଭାଷାରେ ଅନବଦ୍ୟ ଅନୁବାଦ ।

 

-ଝଙ୍କାର

 

(୨)

 

ଏ ଅନୁବାଦର ମାଧୁରୀ ଓ ଔଜ୍ଜଲ୍ୟ ନିକଟରେ ମୋର ଅଭିମତ ଚନ୍ଦ୍ରାଲୋକରେ ଲଣ୍ଠନ ଆଲୁଅପରି ହେବ ।

 

-ମାନସିଂ

 

(୩)

 

ଓମାର ଅନୁବାଦରେ ଫିଟ୍‌ ଜେରାଳ୍‌ଡ଼ଙ୍କର ଅଭିବ୍ୟକ୍ତିଠାରୁ ଏ ଅନୁବାଦ ଆହୁରି ହୃଦୟସ୍ପର୍ଶୀ ।

 

-ପଦ୍ମଶ୍ରୀ ସାହୁ

 

(୪)

 

ଏ ସୂର୍ଯ୍ୟତଳେ ମୋପରି ଯେଉଁ ମାନଙ୍କର ହୃଦୟ ଆବେଗ ରୁଦ୍ଧ ହୋଇ ରହି ଯାଇଥିଲା- ସେଗୁଡ଼ିକ ଆପଣଙ୍କର କବିତାରେ ଉଚ୍ଛଳ ଓ ଝଂକୃତ ହୋଇଛି ।

 

-ଶ୍ରୀମତୀ ତୁଙ୍ଗବିଦ୍ୟା

***

 

Image

ନିଜକଥା

 

ପ୍ରସିଦ୍ଧ ପାରସ୍ୟ କବି ଓମାର ଖୟାମ୍‌ଙ୍କର ଅମର ଚୌପଦୀର ଇଂରାଜୀ ଅନୁବାଦ ମୁଁ ଜୀବନର ବହୁପୂର୍ବରେ ବହୁବାର ପଢ଼ିଛି; ମାତ୍ର ୧୯୫୪ ମସିହାରେ କାହିଁକି ଏହାର ଓଡ଼ିଆ-ତର୍ଜମା କରିବାରେ ମନବଳିଲା, କହିପାରିବି ନାହିଁ ।

 

ଜୀବନର ଯାତ୍ରା-ପଥରେ ନାନା ବିଚିତ୍ର ସ୍ଥାନରେ ବୁଲୁଁ ବୁଲୁଁ ପାରସ୍ୟ-ମରୁର ଏଇ ଔସିସ୍‌ ନିକଟରେ କ୍ଷଣକାଳ ଅବସ୍ଥାନ କରିବାକୁ ଆଗ୍ରହୀ ହେବା ଏକ ଆକସ୍ମିକ ଘଟଣା ମାତ୍ର । କିନ୍ତୁ ମରୁ ମଧ୍ୟରେ ଔସିସ୍‌ ପରି ଖୟମ୍‌ ଗତିକା ବିରାଟ ସାହିତ୍ୟରାଜ୍ୟର ଗୋଟିଏ ଅମୂଲ୍ୟ ସମ୍ପଦ ଓ ଔସିସ୍‌ । ପରାହତ, ଶ୍ରାନ୍ତ ଜୀବନର ବହୁ ଜଟିଳ ଉତ୍‌ଥାନ-ପତନ ମଧ୍ୟରେ ଅନନ୍ୟୋପାୟ ମାନବ ଏହି ଗୀତିରସ ଆସ୍ୱାଦନକରି ତୃପ୍ତ ହୁଏ । ସତ୍ୟ, ମିଥ୍ୟା, ଜୀବନ ଓ ମୃତ୍ୟୁ, ସର୍ବୋପରି ଭାଗ୍ୟର ଦୁର୍ଭେଦ୍ୟ ପ୍ରହେଳିକା ଭେଦକରିବାକୁ ଅସମର୍ଥ ହୋଇ ମନୁଷ୍ୟ ବିଗତ ଅବସାଦ ଓ ଭବିଷ୍ୟତର ଦୁରାଶାକୁ ଜଳାଞ୍ଜଳି ଦେଇ ବର୍ତ୍ତମାନର ସୌନ୍ଦର୍ଯ୍ୟ ଓ ରସାନୁଭୂତି ମଧ୍ୟରେ ବଞ୍ଚିରହିବାକୁ ଚାହେଁ; ତାହାରି ସମର୍ଥକ ଖୟାମ୍‌-ତେଣୁ ତାଙ୍କର କବିତା ସମଦଶାପନ୍ନ ପକ୍ଷରେ ପରମ ଉପଭୋଗ୍ୟ । ଖୟାମଙ୍କର ସଂକ୍ଷିପ୍ତ ଦାର୍ଶନିକ ଭାବକୁ ନିଜ ଭାଷାରେ ସରଳ ଓ ପ୍ରାଞ୍ଜଳ ଭାବରେ ପ୍ରକାଶକରି ଗୀତକାବ୍ୟର ଲଳିତଛନ୍ଦ ରକ୍ଷାକରିବା ଯେ କଠିନ, ଏକଥା ସମସ୍ତେ ସ୍ୱୀକାର କରିବେ ।

 

ଅଳମତି ବିସ୍ତରେଣ--

 

ଅଧ୍ୟାପକ ବଂଧୁ ଚିନ୍ତାମଣି ବେହେରା, ଅଧ୍ୟାପକ ଶ୍ରୀମାନ୍‌ ଚନ୍ଦ୍ରଶେଖର ଓ ଶ୍ରୀଯୁକ୍ତ ବୈକୁଣ୍ଠନାଥ ପଟ୍ଟନାୟକ ଏହା ସମ୍ବନ୍ଧରେ ଅଭିମତ ପ୍ରକାଶ କରିଥିବାରୁ ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ପୁରୀ

ଇତି

ତା ୭ । ୮ । ୫୪

ଗୋପାଳ କାନୁନ୍‌ଗୋ

***

 

Image

 

ଉପେଦ୍‌ଘାତ

 

ଓମାର ଖୈୟାମ୍‌ଙ୍କ ଜନ୍ମର ପ୍ରାୟ ସପ୍ତଶତାଧିକ ବର୍ଷ ପରେ ଫିଟ୍‌ଜିରାଲଚ୍‌ ଓମର ଖୈୟାମ୍‌ଙ୍କ ରୁବାଇଆତ୍‌ରୁ ମାତ୍ର ୬୫ଟି ଇଂରେଜୀରେ ଅନୁବାଦକରି ମୋଟେ ୨୫୦ଟି ପ୍ରତିଲିପି ଛାପାଇଲେ ଓ ସେତକ ମଧ୍ୟ ଭାଗ୍ୟର ବିଡ଼ମ୍ବନା ହେତୁ ବିକ୍ରି ହୋଇ ନ ପାରି ପୁରୁଣା ଅଦରକାରୀ କାଗଜ ଭାବରେ ଖଣ୍ଡକୁ ପେନିଏ ଲେଖାଏଁ ଦରରେ ବିକ୍ରି ହେଲା । ସେଇ ପତ୍ରଲିପିରୁ ଦୁଇଟି ପଡ଼ିଲା ସ୍ପିନ୍‌ବର୍ଣ୍ଣ ଓ ରସେଟିଙ୍କ ହାତରେ । ସେଦିନଠାରୁ ଓମାର ଖୈୟାମ୍‌ଙ୍କ ରୁବାୟତ୍‌ଗୁଡ଼ିକ ପୃଥିବୀର କେତେ ଯେ ଭାଷାରେ ଅନୂଦିତ ହୋଇଛି ଓ ଆଜିସୁଦ୍ଧା ମୁଦ୍ରିତ ସଂଖ୍ୟାଗୁଡ଼ିକର ପରିମାଣ ଯେ କେତେ ତାହା କଳନା କରିବା ଦୁଃସାଧ୍ୟ । କୁହାଯାଏ- ବାଇବେଲ୍‌ ଓ କୋରାନ୍‌ ପଛକୁ ଓମାର୍ ଖୈୟାମଙ୍କ ପଦ୍ୟ ଅନ୍ତତଃ ମୁଦ୍ରିତ ସଂଖ୍ୟାଗୁଡ଼ିକର ପରିମାଣ ଦୃଷ୍ଟିରୁ ସର୍ବାଧିକ ।

 

ଓମାର ଖୈୟାମଙ୍କ ପରି ପ୍ରତିଭାର ଆବିର୍ଭାବ କ୍ୱଚିତ୍‌ ଘଟିଥାଏ । ତା ଭିନ୍‌ଚିଙ୍କ ପରି-ଓମାର ଜ୍ୟୋତିଷ, ଗଣିତ ଓ ବିଜ୍ଞାନ କ୍ଷେତ୍ରରେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କର L' Algebre d'Omar Al-khayyami ନାମକ ଗଣିତ ପୁସ୍ତକ ଓମାର ରୁବାୟତର ଅନୁବାଦ ପ୍ରକାଶିତ ହେବାର କେତେକ ବର୍ଷ ପୂର୍ବେ ଫରାସୀ ଭାଷାରେ ପ୍ରକାଶିତ ହୋଇଥିଲା ।

 

କିନ୍ତୁ ନୈଶାପୁରର ଖୈୟାମ ଥିଲେ ପ୍ରଧାନତଃ କବି । ନିବିଡ଼ ସୁଖର ଆସ୍ୱାଦନରେ ସେ ଯେତିକି ଥିଲେ ମସ୍‌ଗୁଲ, ଦୁଃଖର ହଳାହଳରେ ତହୁଁ ବଳିଥିଲେ ବିଦଗ୍‌ଧ । ତାଙ୍କର ପ୍ରିୟତମା ପାରସ୍ୟର ସହାଙ୍କର କକ୍ଷ ମଣ୍ଡନ କଲେ ଏବଂ ସେଇ ପାରସ୍ୟର ସହାଙ୍କର ହୃଦୟର ସ୍ନେହ ଓ ସମ୍ମାନ ଓମାର୍‌ଙ୍କର ଜୀବନଧାରଣର ଏକମାତ୍ର ସମ୍ବଳ ଥିଲା । ପୁଣି, ସାହାଙ୍କର ମୃତ୍ୟୁପରେ ନିଜର ପ୍ରିୟତମାଙ୍କୁ ସେ ଫେରି ପାଇଥିଲେ । ତେଣୁ ଦୁଃଖ ଓ ସୁଖସୀମାର ଦିଗ୍‌ବଳୟର ଧାରେ ଧାରେ ତାଙ୍କୁ ଗତି କରିବାକୁ ପଡ଼ିଥିଲା । ସେଥିପାଇଁ ବୋଧହୁଏ ତାଙ୍କର ଅଦ୍ୱୈତ ଦୃଷ୍ଟି ଜୀବନର ସେଇ ଦ୍ୱୈତସତ୍ୟର ଗଭୀରତାକୁ ସମାନ ଭାବରେ କଳନା କରିପାରିଥିଲା । ସେଇଥିପାଇଁ ବୋଧହୁଏ ସେ ଯେତିକି ନିରାଶ, ପ୍ରାୟ ସେତିକି ପରିମାଣରେ ସରସ । ତାଙ୍କର ଲୁହ ଆନନ୍ଦର ଲୁହ ଓ ତାଙ୍କର ଆନନ୍ଦ ଲୁହରଆନନ୍ଦ । ପରସ୍ପର ବିରୋଧ ଦୁଇଟି ଗଭୀର ଅନୁଭୂତିର ପ୍ରକାଶରେ ତାଙ୍କର ଭାରସାମ୍ୟ ଅତୁଳନୀୟ ! ଏହାହିଁ ବୋଧହୁଏ ଓମର୍‌ ପ୍ରତିଭାର ବିଶେଷତ୍ୱ । ତାଙ୍କର ଆନନ୍ଦ ଗ୍ରୀସୀୟ ବଳିଷ୍ଠ ଦେହସୌନ୍ଦର୍ଯ୍ୟ-ଦର୍ଶନର ଭିତ୍ତି ଉପରେ ଯେତିକି ଦୃଢ଼ ଭାବରେ ପ୍ରତିଷ୍ଠିତ, ଅନ୍ୟପକ୍ଷରେ ସୁଫି ଓ ପ୍ରାଚ୍ୟ ଦୁଃଖବାଦର ମୂର୍ଚ୍ଛନାରେ ତାହା ସେତିକି ରୁଦ୍ଧିମନ୍ତ । ତାଙ୍କର ସ୍ୱପ୍ନମୟ ସୁରା ଓ ଚିରଯୌବନମୟୀ ସାକୀର ସୃଷ୍ଟି ବିରାଟ ଶୂନ୍ୟତାର ବକ୍ଷରେ ଚିରଦେଦୀପ୍ୟମାନ, କମନୀୟ । ଏଇ ଗୋଲାପର ସୌରଭ ଓ ସୁରାର ମାଦକତା ଲକ୍ଷ ଲକ୍ଷ ହୃଦୟକୁ ସ୍ପର୍ଶ କରିଛି । ଜାତି, ଧର୍ମ, ଦେଶ ଓ କାଳ ନିର୍ବିଶେଷରେ ନିଖିଳ ମାନବର ଅନ୍ତରରେ ଆନନ୍ଦ ସଞ୍ଚାରିତ କରିଛି ।

 

ଖ୍ୟାତନାମା ଶବ୍ଦ ଓ ଚିତ୍ର ଶିଳ୍ପୀ ଶ୍ରୀଯୁକ୍ତ କାନୁନ୍‌ଗୋ ଏହି ସୌରଭରେ ମୁଗ୍‌ଧ ହୋଇ ବିଶ୍ୱସାହିତ୍ୟ ଉଦ୍ୟାନରୁ ଏଇ ପାରସ୍ୟ ଗୋଲପଟିକୁ ଆମ ସମ୍ମୁଖରେ ଆଣି ଥୋଇଛନ୍ତି । ଗୋଲାପର ରଙ୍ଗ, କୋମଳତା ଓ ସୌରଭ ତାଙ୍କ ବର୍ଣ୍ଣ ଓ ଗାନ ମଧ୍ୟଦେଇ ଯେପରି ଭାବରେ ଆତ୍ମ-ପ୍ରକାଶ କରିଛି ତାର ପ୍ରଶଂସା କରି ଶ୍ରୀ ଚିନ୍ତାମଣି ବେହେରା କହିଛନ୍ତି - ‘‘କବି ଓ ଶିଳ୍ପୀ ପ୍ରାଣର ଏଇ ଅପୂର୍ବ ସମନ୍ୱୟ, ଅସୀମ କଳ୍ପନା ଓ ସ୍ୱତନ୍ତ୍ର ପ୍ରକାଶଭଙ୍ଗୀ ଏକ ଉଜ୍ଜ୍ୱଳ ପ୍ରତିଭାର ସ୍ପଷ୍ଟ ସଙ୍କେତ ବହନ କରି ଓଡ଼ିଆ ଅନୁବାଦ ସାହିତ୍ୟରେ ଯେ ସ୍ୱତନ୍ତ୍ର ସ୍ଥାନ ଦଖଲ କରି ରହିବ ଏହା ନିଶ୍ଚିତ ।’’ କବି ବୈକୁଣ୍ଠ ପଟ୍ଟନାୟକ ଦୃଢ଼ତାର ସହ ଉଲ୍ଲେଖ କରିଛନ୍ତି- ‘‘ଶିଳ୍ପ ଓ କାବ୍ୟକଳା ମଧ୍ୟରେ ଯେଉଁ ସୂକ୍ଷ୍ମ ସୌହାର୍ଦ୍ଦ୍ୟ ଓ ଗୋତ୍ରସାମ୍ୟ ବିଦ୍ୟମାନ, ଶିଳ୍ପୀ କାନୁନ୍‌ଗୋ ତାହାର ତାତ୍‌ପର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ସପ୍ରମାଣ ସଦ୍‌ବ୍ୟବହାର କରିଛନ୍ତି ।’’

 

କାନୁନ୍‌ଗୋଙ୍କ କବି-ପ୍ରତିଭା ତାଙ୍କର ଶିଳ୍ପ-ପ୍ରତିଭା ପରି ଭାବାନୁଗା ଓ ଲାଳିତ୍ୟମୟୀ ଖୈୟାମ୍‍ଙ୍କ ପଦ୍ୟର ସମସ୍ତ ଭାବକୁ ଆତ୍ମସାତ୍‌ କରି ସ୍ୱକୀୟ ଭାବାବେଗର ସ୍ରୋତରେ ଅନୂଦିତ ପଦ୍ୟଗୁଡ଼ିକୁ ସ୍ୱତଃଗତିଶୀଳ କରି ପାରିଥିବାରେ ତାଙ୍କର କୃତିତ୍ୱ ତାଙ୍କ ରଚିତ ପଦ୍ୟଗୁଡ଼ିକର ସଙ୍କୋଚହୀନ ଗତିଶୀଳତାରୁ ହିଁ ପ୍ରମାଣିତ ହୁଏ । A book of verse underneath the bough; A jug of wine, a loaf of bread and thou; Beside me singing in the wilderness; And wilderness is paradise enow- ର ଅନୁବାଦ କରି କବି ଲେଖିଛନ୍ତି:-

 

ଏଇ ତରୁତଳେ ଘନ ପଲ୍ଲବ ବିତାନେ

ଜୀବନବଂଧୁ ବସି ମୋର ତୁଲେ ଗୋପନେ

ପାଶେ ରଖି ଗୀତି ଚୟନିକା ଲଘୁ ଆହାର

ଦ୍ରାକ୍ଷାମଦିରେ ଭରିଦେବ ସଖୀ ଆଧାର;

 

ପାଶେ ବସି ଯେବେ ଗାଇବ ସ୍ନିଗ୍‌ଧ ରାଗିଣୀ,

ଉତ୍ସଳ କରି ନିର୍ଜ୍ଜନମରୁ ବନାନୀ,

ତେବେ ଗୋ ସଜନି ମୁହିଁ

ନିମେଷକ ଲାଗି ସ୍ୱର୍ଗ ମଣିବି ରୁଷ ଏ ମରୁଭୂଇଁ ।

 

ଏବଂ ‘‘That every hyacinth the garden wears- Dropt in her lap from some one's lovely head.’’

 

ଏହି ଅତି କଠିନ ଭାବ ସମ୍ବଳିତ ପାଦଯୁଗ୍ମ କବିଙ୍କ ଭାବାବେଗରେ ମୁଖର ହୋଇ ଅତିସୁନ୍ଦର ରୂପ ଧାରଣ କରିଛି–

 

‘‘ବନେ ଉପବନେ ବିକଶିତ ଯେତେ ଫୁଲ,

ବର୍ଣ୍ଣେ ଗନ୍ଧେ ଭୁବନେ ନାହିଁ ଯା’ ତୁଲ,

ରସ ରଙ୍ଗିନୀ ଶିଥିଳ କବରୀ ଦେହୁଁ

ପଡ଼ିଛି କି ଖସି କୁଞ୍ଜ କାନନେ ପ୍ରିୟରେ ପ୍ରଣୟ ଦେଉଁ ?’’

 

କେବଳ ସେତିକି ନୁହେଁ, ଅନୁବାଦର ଭାବାବେଗ ସ୍ୱତଃସ୍ଫୁର୍ତ୍ତ ହୋଇ ଯେପରି ଭାବରେ ସମୟ ସମୟରେ ମୂଳ କବିତାର ଲାଳିତ୍ୟର ପରିସରକୁ ଅତିକ୍ରମ କରିଛି ତାହାମଧ୍ୟ ଅତି ଆଶ୍ଚର୍ଯ୍ୟଜନକ ।

 

‘‘ସମୟ ଯେତିକି ବାକି

ରୂପର ମାଧୁରୀ ପୀରତି ପୀୟୂଷ ଅନ୍ତରେ; ନେବା ଚାଖି ।’’

 

 

 

 

 

ଏହାଛଡ଼ା–

 

‘‘ସେପାରେ ମୃତ୍ୟୁ ଶୂନ୍ୟେ ମାରଇ ହାଇ;

ନୀରବ କଣ୍ଠ ନ ମିଳଇ ସାକୀ, ଦୁର୍ଲ୍ଲଭ ସୁରା ତହିଁ’’

 

କିମ୍ବା –

 

‘‘ଜାଣିଲି ତା ତହୁଁ ମଧୁର ଦ୍ୱାକ୍ଷାସବ-

ମନୀଷାରୁ ବଳି ସୁଗଭୀର ଯାର ମଧୁମୟ ଅନୁଭବ’’

 

କିମ୍ବା–

 

‘‘ଅନୁତାପ ଉଡ଼େ ମତ୍ତ ମଳୟେ ପଳିତପତ୍ର କିବା’’

 

ଅଥବା–

 

‘‘ମୂଲ୍ୟ କି ଛାର ଲଭେ ବିକ୍ରେତା ଅମୃତ ବିନିମୟେ’’ - ପ୍ରଭୃତି ପଦ୍ୟାଂଶ ମନ ଓ ହୃଦୟରେ ଯେଉଁ ଅନୂରଣନ ଓ ଆଲୋଡ଼ନ ସୃଷ୍ଟି କରନ୍ତି ତାହା ଚିରସ୍ଥାୟୀ ।

 

କବିତା-ଦର୍ଶନ ନୁହେଁ କିମ୍ବା ନୀତିଶାସ୍ତ୍ର ନୁହେଁ । କବି ଦାର୍ଶନିକ ଓ ନୀତିଶାସ୍ତ୍ରଜ୍ଞ ଦୁହିଁଙ୍କୁ ଆତ୍ମସାତ୍‌ କରିପାରେ । ପକ୍ଷାନ୍ତରେ ଦାର୍ଶନିକ ଓ ନୀତିଶାସ୍ତ୍ରଜ୍ଞ କବିତାରେ ଦର୍ଶନ ଓ ନୀତି ଖୋଜି ବସି କବିତାର ଅବମାନନା କରନ୍ତି; କାରଣ ଦର୍ଶନ ଓ ନୀତିଶାସ୍ତ୍ରର ଗତିର ସୀମା ଅଛି । ସେହି ଶେଷ ସୀମାରୁ କବିତାର ଅୟମାରମ୍ଭଃ । ମସ୍ତିଷ୍କର ଗତିର ଶେଷ ସୀମାରୁ ହୃଦୟର ଅନନ୍ତ ଲୀଳାଭୂମିର ଦର୍ଶନଲାଭ ହୋଇଥାଏ । ଅନୁଭବର ସୁରଭିତ ପରାଗରେଣୁରେ ଯୁକ୍ତି ହୁଏ ଅନ୍ଧ । ରସର ଉଜ୍ଜ୍ୱସିତ ବନ୍ୟାରେ ସତ୍ତା ସେଠି ହୁଏ ଆନନ୍ଦମୟ ! ଜୀବନର, ଦର୍ଶନର ଓ ଯୁକ୍ତିବାଦୀ ସମସ୍ତ ନୀତିର ସେହିଠାରେ ହୁଏ ପରିସମାପ୍ତି । କିଏ ଅବା ତାକୁ ସୁରା ଓ ସାକୀରେ ପାଏ - କିଏ ମୋନାଲିସାର ବୀର ରହସ୍ୟମୟ ସ୍ମୃତି ହାସ୍ୟରେ, କିମ୍ବା କେହି ଅନନ୍ତ-ଯୌବନା ଉର୍ବଶୀର ଲାସ୍ୟ ମଧ୍ୟରେ ତାକୁ ଦେଖେ । ତାହା ପାପ-ପୁଣ୍ୟ, ନୀତି-ଅନୀତିର ପରିସରର ବହୁ ଊର୍ଦ୍ଧ୍ୱରେ ।

 

ଓମାର୍‌ଙ୍କ ପଦାବଳୀ ଅନୁଭବହୀନ-ଗତିହୀନ-ଭାରବାହୀ ଜୀବନ ବିରୁଦ୍ଧରେ ଏକ ସଫଳ ଅଭିଯାନ । ଅମରତ୍ୱର ମାନଦଣ୍ଡରେ ଏହା ସୁପରୀକ୍ଷିତ । ଆନନ୍ଦାମୃତର ଆସ୍ୱାଦନରେ ଏହା ରସସିକ୍ତ । ଶ୍ରୀଯୁକ୍ତ କାନୁନ୍‌ଗୋ ଏହି ଅମର କୃତିକୁ ରୂପାନ୍ତରିତ କରି ଅନୁବାଦ କ୍ଷେତ୍ରରେ ଏକ ଆଧୁନିକ ଆଦର୍ଶ ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ କାବ୍ୟ କ୍ଷେତ୍ରରେ ଏକ ଆଧୁନିକ ଆଦର୍ଶ ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ କାବ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନର ମଧ୍ୟ ଅଧିକାରୀ ହୋଇଛନ୍ତି । ଅନୁବାଦ ହିସାବରେ ତାଙ୍କର କୃତି ଯେତିକି ପ୍ରଶଂସାର୍ହ, କାବ୍ୟ ହିସାବରେ ତାହା ସେତିକି ସଫଳ ଓ ସ୍ୱତଃସ୍ଫୂର୍ତ୍ତ । ତେଣୁ ଓଡ଼ିଆ ସାହିତ୍ୟରେ ଏଭଳି ଏକ ରଚନା ପାଇଁ ଆମେ କୃତଜ୍ଞ ।

 

ବଡ଼ଗାଁ

ଅଧ୍ୟାପକ

ତା ୨୦ । ୯ । ୫୯

ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର

 

ଏମ୍‌. ଏ., ଡି. ଇଡି.

***

 

ମୁଖବନ୍ଧ

 

ପ୍ରସିଦ୍ଧ ପାରସ୍ୟ କବି ଓମାର୍‌ ଖୟାମଙ୍କର କବିତା ଇଂରାଜି କବି ଫିଟ୍‌ଜରାଲ୍‌ଡ୍‌ଙ୍କ ଦ୍ୱାରା ଅନୂଦିତ ହୋଇ ଆଜି ବିଶ୍ୱବିଶ୍ରୁତ ଏବଂ ତା’ର ଅନ୍ତର୍ନିହିତ କଳାମାଧୁରୀ ସବୁଦେଶର କଳାରସିକ ଓ କାବ୍ୟପାଠକକୁ ଆନନ୍ଦ ପ୍ରଦାନ କରିବା ସଙ୍ଗେ ବିଶ୍ୱର କାବ୍ୟଦରବାରରେ ନିଜର ସାର୍ବଜନୀନ ଆବେଦନ ଯୋଗୁଁ ଅଭିନନ୍ଦିତ ଓ ପ୍ରତିଷ୍ଠିତ । ବିଭିନ୍ନ ଯୁଗରେ ବିଶ୍ୱର କାବ୍ୟ-ସାହିତ୍ୟରେ ରୁଚିର ପରିବର୍ତ୍ତନ ଘଟିଥିଲେହେଁ ସ୍ୱକୀୟ ଯୁଗର ରୁଚି ଓ କଳାବୋଧର ସ୍ୱାକ୍ଷରରେ ଓମାରଙ୍କ କବିତା ଯେ ଚିର-ଉଜ୍ଜ୍ୱଳ ଓ ରୁଦ୍ଧିମନ୍ତ, ଏଥିରେ ସନ୍ଦେହ କରିବାର ଅବକାଶ ନାହିଁ । ସେହି ସ୍ୱନାମଧନ୍ୟ ପ୍ରସିଦ୍ଧ ପାରସ୍ୟ କବିଙ୍କର କବିତାନୁବାଦ ବିଭିନ୍ନ ଭାଷାରେ ହୋଇଛି । ଓଡ଼ିଆ ପାଠକକୁ ମଧ୍ୟ ସେହି କବିତାର ରସାସ୍ୱାଦ ଦେବାକୁ କେତେକ ଓଡ଼ିଆ ଲେଖକ ଓ କବି ପୂର୍ବରୁ ଚେଷ୍ଟା କରିଛନ୍ତି ଏବଂ ଏହି ଅନୁବାଦକମାନଙ୍କ ମଧ୍ୟରୁ ସ୍ୱର୍ଗୀୟ ଅଜୟ ଚନ୍ଦ୍ର ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ଓ ଶ୍ରୀ ଜଗଦ୍‌ବନ୍ଧୁ ମହାପାତ୍ର ପ୍ରଭୃତି ପ୍ରଧାନ । ଏବେ ଓଡ଼ିଶାର ପ୍ରତିଷ୍ଠିତ କଳାବିତ୍‌ ଓ ଲେଖକ ଶ୍ରୀଯୁକ୍ତ ଗୋପାଳ କାନୁନ୍‌ଗୋ ସେହି ଓମାର କବିତାର ଓଡ଼ିଆ ଅନୁବାଦ ଫିଟ୍‌ଜରାଲଡ଼୍‍ଙ୍କ ପ୍ରକାଶିତ ଇଂରାଜୀ ତର୍ଜମା ଅନୁସରଣରେ କରିଛନ୍ତି ଏବଂ ତାହା କବିତାର ମୂଳମର୍ମ ରକ୍ଷାକରିବା ସଙ୍ଗେ ଭାବ ଓ ଭାଷାର ସ୍ୱକୀୟତା ଧର୍ମରେ ଅଳଂକୃତ ହୋଇ ପାରିଥିବାର ସୁଧୀ ଓ ଅନୁରାଗୀ ପାଠକବୃନ୍ଦ ଉପଲବ୍‌ଧି କରିପାରିବେ । ଅଳ୍ପ କଥାରେ କହିବାକୁ ଗଲେ ଏହି ଅନୁବାଦ ସାର୍ଥକ, ରସୋତ୍ତୀର୍ଣ୍ଣ ଓ ସ୍ୱକୀୟତାର ସ୍ୱାକ୍ଷରରେ ଉଜ୍ଜ୍ୱଳ ହୋଇ ପାରିଛି ଏବଂ ଓମାର୍‌ କବିତାର ପ୍ରାଣ ମଧ୍ୟ ପ୍ରାଞ୍ଜଳ ଓ ସ୍ୱଚ୍ଛନ୍ଦ ଭାବରେ ଏଥିରେ ଆତ୍ମପ୍ରକାଶ କରିଛି ।

 

ଏହି ପାରସ୍ୟ କବି ଓମାର୍‌ ନିଜର କାବ୍ୟସାଧନା ଓ ପ୍ରତିଭା ବଳରେ ବିଶ୍ୱପ୍ରସିଦ୍ଧ ହୋଇଥିଲେ ବି ତାଙ୍କର ଜନ୍ମବୃତ୍ତାନ୍ତ ଓ କାବ୍ୟ ସାଧନାର ଇତିହାସ ଆଜି ଅନ୍ଧକାରାଚ୍ଛନ୍ନ ଓ ଅସ୍ପଷ୍ଟ-। ତଥାପି ବହୁ ସମାଲୋଚକ ତାଙ୍କର ଜୀବନୀ ସଂପର୍କରେ ଆଲୋକପାତ କରିବାକୁ ଚେଷ୍ଟା କରିଛନ୍ତି । ଓମାରଙ୍କ ଜନ୍ମ ଆଜକୁ ପ୍ରାୟ ନଅଶହ ବର୍ଷ ତଳର କଥା । ଏକାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପାରସ୍ୟର ଖୋରାସନ୍‌ ପ୍ରଦେଶର ନୈଶାପୁର ନାମକ ଗ୍ରାମରେ ତାଙ୍କର ଜନ୍ମ । ତାଙ୍କର ଜନ୍ମ ତାରିଖ ଏ ପର୍ଯ୍ୟନ୍ତ ଅନିର୍ଣ୍ଣିତ । ଓମାର୍‌ଙ୍କ ପୂରା ନାମ ଥିଲା ଗୀୟାସୁଦ୍ଦିନ୍‌ ଇବନ୍‌ ଆବୁଲ ଫତେହ ଓମର ବିନ୍‌ ଉବ୍ରାହିମ୍‌ ଅଲ୍‌ ଖୈୟାମ୍‌ । ‘ଖୈୟାମ୍‌’ ଶବ୍ଦର ଅର୍ଥ ତମ୍ବୁକାର । ଓମାର୍‌ଙ୍କ ନାମ ସହିତ ତାଙ୍କର ବଂଶଗତ ବ୍ୟବସାୟବାଚକ ‘ଖୈୟାମ୍‌’ ଶବ୍ଦ ସଂଲଗ୍ନ ଥିଲେ ମଧ୍ୟ ସେ ନିଜେ କେବେ ତମ୍ବୁ ବ୍ୟବସାୟ କରୁ ନ ଥିଲେ । ମାତ୍ର ଆଜି ସେ ଜଗତରେ ଓମର୍‌ ଖୈୟାମ୍‌ ନାମରେହିଁ ପରିଚିତ ।

 

କୈଶୋର ଜୀବନରେ ସେ ଖୋରାସନ୍‌ ପ୍ରଦେଶର ଜ୍ଞାନଶ୍ରେଷ୍ଠ ମହାମନୀଷୀ ଇମାମ୍‌ ମୋବାଫିକ୍‌ଙ୍କ ନିକଟରେ ଶିକ୍ଷାଲାଭର ସୁଯୋଗ ପାଇଥିଲେ ଏବଂ ବୟୋବୃଦ୍ଧି ସଙ୍ଗେ ଗଣିତ, ବିଜ୍ଞାନ ଓ ଦର୍ଶନରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ତାଙ୍କର ବାଲ୍ୟଜୀବନର ସହପାଠୀ ଥିଲେ ଆଲି ଓସାକ୍‌ ତୌସୀ ଓ ହାସାନ୍‌ ବିନ୍‌ ସାବ୍‌ବା । କିମ୍ବଦନ୍ତୀ ଅଛି, ଏଇ ତିନିବନ୍ଧୁ ଅଧ୍ୟୟନ କାଳରେ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଯେ ସେମାନଙ୍କ ତିନିଜଣ ମଧ୍ୟରୁ ଭବିଷ୍ୟତ ଜୀବନରେ ଯେ କେହି ସମୃଦ୍ଧିଶାଳୀ ହେବ ସେ ନିଜର ସୌଭାଗ୍ୟ ଅନ୍ୟ ଦୁଇ ସହପାଠୀ ବନ୍ଧୁ ସହିତ ସମାନ ଭାବରେ ଭାଗ କରି ଭୋଗ କରିବ । ଗୁରୁଗୃହରେ ବିଦ୍ୟାଶିକ୍ଷା ପରେ ବହୁଦିନ ଧରି ତିନିବନ୍ଧୁଙ୍କ ମଧ୍ୟରେ ଦେଖାସାକ୍ଷାତ ଆଉ ହୋଇ ନଥିଲା । କିନ୍ତୁ ବହୁଦିନ ପରେ ଆଲୀ ଇସାକ୍‌ ତୌସୀ ଯେତେବେଳେ ‘ନିଜାମ୍‌ ଉଲମୁଲ୍‌କ୍‌’ ଉପାଧିରେ ଭୂଷିତ ହୋଇ ପାରସ୍ୟ ସୁଲତାନଙ୍କର ‘ଉଷ୍‌ଜୀର’ ବା ମନ୍ତ୍ରୀ ପଦରେ ପ୍ରତିଷ୍ଠିତ ହେଲେ ସେତେବେଳେ ତାଙ୍କର ପୁରାତନ ସହପାଠୀ ବନ୍ଧୁ ଓମାର୍‌ ଆସି ତାଙ୍କୁ ସାକ୍ଷାତ କରିଥିଲେ । ନିଜାମ ଉଲ୍‌ ମୁଲ୍‌କ୍‌ ମଧ୍ୟ ପୂର୍ବ ପ୍ରତିଜ୍ଞାନୁଯାୟୀ ସତ୍ୟରକ୍ଷା କରିଥିଲେ ଓ ରାଜଦରବାରରୁ ବାର୍ଷିକ ୧୨୦୦ ମିଶ୍‌କାଲ ସ୍ୱର୍ଣ୍ଣ ଅର୍ଥାତ ୯୦୦୦ ଟଙ୍କା ଓମାରଙ୍କୁ ମିଳିବାର ବ୍ୟବସ୍ଥା କରି ଦେଇଥିଲେ । ବହୁଦିନ ଧରି ଏହି ଗଳ୍ପଟି ପ୍ରଚଳିତ ହୋଇ ଆସିଥିଲେ ମଧ୍ୟ ସଂପ୍ରତି ଐତିହାସିକମାନେ ଏହାକୁ ଅମୂଳକ ଓ ଭିତ୍ତିହୀନ ବୋଲି ପ୍ରମାଣ କରି ସାରିଛନ୍ତି । ସେ ଯାହାହେଉ, ନିଜାମ ଉଲ୍‌ମୁଲକ୍‌ ଯେ ଓମାର୍‌ଙ୍କର ଜଣେ ବନ୍ଧୁ ଓ ପୃଷ୍ଠପୋଷକ ଥିଲେ ଏକଥା ସତ୍ୟ । ଓମାର୍‌ ଖୈୟାମ୍‌ କିନ୍ତୁ ବନ୍ଧୁତ୍ୱର ସୁଯୋଗ ନେଇ ତାଙ୍କ ନିକଟରେ ଉଚ୍ଚ ଉପାଧି ବା ପ୍ରଭୃତି ଏଶ୍ଚର୍ଯ୍ୟର ପ୍ରାର୍ଥୀ ହୋଇ ନ ଥିଲେ । ସେ କେବଳ ଚାହିଁଥିଲେ ଭାଗ୍ୟବାନ ବନ୍ଧୁର ଆଶ୍ରୟ ତଳେ ନିକାଞ୍ଚନରେ ବସି ନିଶ୍ଚିନ୍ତ ମନରେ ଗଭୀର ଜ୍ଞାନାନୁଶୀଳନର ସୁଯୋଗ ଏବଂ ବନ୍ଧୁଙ୍କ ଦ୍ୱାରା ସେ କାମନା ମଧ୍ୟ ତାଙ୍କର ପୂର୍ଣ୍ଣ ହୋଇଥିଲା ।

 

ପାରସ୍ୟର ତତ୍‌କାଳୀନ ସୁଲତାନଙ୍କ ଦରବାରରେ ସେ ଶ୍ରେଷ୍ଠ ଜ୍ୟୋତିଷୀରୂପେ ସୁନାମ ଅର୍ଜନ କରିଥିଲେ ଏବଂ ସୁଲତାନଙ୍କ ଆଦେଶରେ ପାରସ୍ୟ ପଞ୍ଜିକାର ସଂସ୍କାରକାର୍ଯ୍ୟ ମଧ୍ୟ କରିଥିଲେ । ‘ଜିଜିମାଲିକସାଦୀ’ ତାଙ୍କର ଏକ ପ୍ରସିଦ୍ଧ ଜ୍ୟୋତିଷ ସିଦ୍ଧାନ୍ତ , ଏବଂ ‘ଜଲଦୀ ସଂବତ୍‌’ ମଧ୍ୟ ତାଙ୍କର ସମୟରୁ ଏପର୍ଯ୍ୟନ୍ତ ପ୍ରଚଳିତ ହୋଇ ଆସୁଛି । ଏହାଛଡ଼ା ଗ୍ରହତତ୍ତ୍ୱ ସମ୍ବନ୍ଧରେ ଏକାଧିକ ଗ୍ରନ୍ଥ ଏବଂ ଅଙ୍କଶାସ୍ତ୍ର, ଜଡ଼ବିଜ୍ଞାନ ଓ ଜୀବବିଜ୍ଞାନ ସମ୍ବନ୍ଧରେ ଏକାଧିକ ଗ୍ରନ୍ଥ ସେ ରଚନା କରିଛନ୍ତି । କବି ଅପେକ୍ଷା ବୈଜ୍ଞାନିକ ଓ ଦାର୍ଶନିକ ହିସାବରେ ସେ ଅଧିକ ପ୍ରଖ୍ୟାତ । ଓମାର ଗଣିତରେ ଯେଉଁ ଦଶଟି ଗ୍ରନ୍ଥ ଲେଖିଥିଲେ, ତହିଁରୁ ବୀଜଗଣିତଟି ୧୮୫୧ ମସିହାରେ ଫରାସୀ ପଣ୍ଡିତ ଓପେ୍‌କ (Wopke)ଙ୍କ ଦ୍ୱାରା ଅନୁବାଦିତ ହୋଇଥିବାର ଜଣାଯାଇଛି; ମାତ୍ର ଓମାରଙ୍କ ଚୌପଦୀଗୁଡ଼ିକ ବହୁ ଲେଖକଙ୍କ ଦ୍ୱାରା ଅନୁବାଦିତ ହୋଇଥିଲେହେଁ, ଫିଟ୍‌ ଜେଲାଲଡ଼୍ ଯେଉଁ ପଞ୍ଚସ୍ତରୀଟି କରିଯାଇଛନ୍ତି, ତାହାହିଁ ଏପର୍ଯ୍ୟନ୍ତ ପୃଥିବୀରେ ସର୍ବଜନ ଦୃତ ହୋଇ ପ୍ରସିଦ୍ଧି ଅର୍ଜନ କରିଛି । କେହି କେହି ୨୫୦ ଠାରୁ ଆରମ୍ଭ କରି ୧୨୦୦ ପର୍ଯ୍ୟନ୍ତ ଚୌପଦୀ ଆବିଷ୍କାର କରି ସାରିଛନ୍ତି; କିନ୍ତୁ ସେଗୁଡ଼ିକ ଓମାରଙ୍କ ରଚନା କି ନା ସେ ସମ୍ପର୍କରେ ମତଭେଦ ଦେଖାଯାଏ । ଓମାରଙ୍କ ଚିନ୍ତାଧାରା ପ୍ରତି ଲକ୍ଷ୍ୟକଲେ ଏହି ପଞ୍ଚସ୍ତରୀଟି ଚୌପଦୀ ସବୁଠାରୁ ସ୍ୱକୀୟତା ଗୁଣରେ ଭୂଷିତ ଏବଂ ଏକପ୍ରକାର ଦର୍ଶନର ଛାୟା ବହନ କରି ଲଳିତ ଓ ମଧୁର ହୋଇଥିବାର ଜଣାଯାଏ ।

 

ଓମାର ଏକାଧାରରେ କବି, ଦାର୍ଶନିକ ଓ ବୈଜ୍ଞାନିକ ଥିଲେ ମଧ୍ୟ ତାଙ୍କର କବିଖ୍ୟାତି କୌଣସିକାଳେ ଦେଶ ମଧ୍ୟରେ ବ୍ୟାପକତା ଲାଭ କରି ନଥିଲା । ଗଣିତ, ଜ୍ୟୋତିଷ ବା ଦର୍ଶନର ଦୁରୂହ ପ୍ରଶ୍ନର ମୀମାଂସା କରିବାକୁ ଯାଇ ମସ୍ତିଷ୍କ ଯେତେବେଳେ ଭାରାକ୍ରାନ୍ତ ହୋଇ ଉଠୁଥିଲା, ସେହି ସମୟରେ ବୋଧହୁଏ ରସମୟ ଚୌପଦୀଗୁଡ଼ିକ ସେ ରଚନା କରୁଥିଲେ । ତଥାପି ଜୀବନ ଓ ଜଗତ ପ୍ରତି ଓମାରଙ୍କର ଧ୍ୟାନ ଧାରଣା, ତାଙ୍କର ଅନୁଭୂତି ଓ ଅଭିଜ୍ଞତା ଏହି ଚୌପଦୀଗୁଡ଼ିକରେ ଲିପିବଦ୍ଧ । ତାଙ୍କର ଅଧିକାଂଶ କବିତା ମଧ୍ୟରେ ପ୍ରଚଳିତ ଧର୍ମବିଧି ପ୍ରତି ଅଶ୍ରଦ୍ଧା ଓ ଅବିଶ୍ୱାସ ଅତି ପ୍ରାଞ୍ଜଳ ଭାବରେ ଆତ୍ମପ୍ରକାଶ କରିଛି । କିନ୍ତୁ ସେ ଯେ ନାସ୍ତିକ ନ ଥିଲେ ତାହା ତାଙ୍କ ରଚନାରୁହିଁ ସ୍ପଷ୍ଟ ବୁଝାଯାଏ । ଜୀବନ ଓ ଜଗତର ଅସୀମ ରହସ୍ୟକୁ ଉପଲବ୍‌ଧ କରିବାର ଯେ ପ୍ରବଳ ଆକାଙ୍‌କ୍ଷା, ସନ୍ଧାନର ପିପାସା, ତାହାହିଁ କେବଳ ତାଙ୍କ ରଚନାରେ ବଳବତ୍ତର ହୋଇ ଆତ୍ମପ୍ରକାଶ କରିଛି । ଓମାର୍‌ଙ୍କ ପ୍ରତି-ତନ୍ତ୍ରୀରେ ଯେପରି ଏକ ଚିରନ୍ତନ, ନୈରାଶ୍ୟ, ନିତ୍ୟ-ବର୍ତ୍ତମାନ ଅତୃପ୍ତି ନିୟତ ଝଙ୍କୃତ । ଗୋଟିଏ ନିତ୍ୟ ପ୍ରହେଳିକାର ଅନ୍ଧକାରମୟ ଯବନିକା ଉଦ୍‌ଘାଟନ କରିବାକୁ ସତେ ଯେପରି ସେ ବ୍ୟସ୍ତ । ‘‘ମୁଁ କିଏ’’ ‘‘କେଉଁଠୁ ଆସିଛି’’ ଏବଂ ‘‘କେଉଁଠିକି ଯିବି’’ ମାନବ ମନର ଏହି ଚିରନ୍ତନ ପ୍ରଶ୍ନ ଓ କୌତୂହଳ ଓମାରଙ୍କ ଅଧିକାଂଶ ରଚନାରେ ନିହିତ ଥିବାର ଆମ୍ଭେ ଦେଖୁ ଓ ତାଙ୍କ ରଚନା ପଢ଼ିଲେ ସେ ଜଣେ ଅନନ୍ତ ନୈରାଶ୍ୟର କବି ହିସାବରେ ଆମର ଦୃଷ୍ଟି ଅଧିକ ମାତ୍ରାରେ ଆକର୍ଷଣ କରିଥାନ୍ତି । ତଥାପି ତାଙ୍କ କବିତାରେ ଆଶାର ବଳିଷ୍ଠ ଓ ଉଜ୍ଜ୍ୱଳ ରଶ୍ମି ନିହିତ । ଓମାରଙ୍କ ଚିର ଅଶାନ୍ତ ମନ ଭାଗ୍ୟ, ଭଗବାନ ଓ ବିଶ୍ୱର ଦିଗ୍‌ବିଦିଗ ପରୀକ୍ଷାରେ ଏକାବେଳକେ ଯେପରି ବ୍ୟସ୍ତ ଏବଂ ସଂସାରର ରୂପ ଓ ସୌନ୍ଦର୍ଯ୍ୟ ମଧ୍ୟରେ ଅରୂପର ସତ୍ତା ସନ୍ଧାନ ପାଇଁ ନିୟତ ସେପରି ବ୍ୟସ୍ତ ଓ ବ୍ୟାକୁଳ । ମାନବାତ୍ମାର କରୁଣ ଓ ଅଶ୍ରୁଳ ଅଭିଯୋଗ ନିୟତି ସମ୍ମୁଖରେ ସେ ବାଢ଼ିଛନ୍ତି ଏବଂ ଭାଗ୍ୟ, ଭଗବାନ ଓ ବିଶ୍ୱ ବିରୁଦ୍ଧରେ ମାନବାତ୍ମାର ଏହି ବିଦ୍ରୋହ କବିତା ମଧ୍ୟରେ ବିଦ୍ରୂପ ଓ ଉପହାସ ଆକାରରେ ଆତ୍ମପ୍ରକାଶ କରିଛି । ତେଣୁ ଓମାରଙ୍କ ଚୌପଦୀଗୁଡ଼ିକରେ ଗୋଟିଏ ପ୍ରଚ୍ଛନ୍ନ କାତରତା ନିହିତ ଏବଂ ମାନବାତ୍ମାର ଅଶ୍ରୁ ତର୍ପଣରେ ତାଙ୍କ ରଚନା ଚିର ସିକ୍ତ ଓ ବେଦନାମୟ । ଏହି ବେଦନା ନୈରାଶ୍ୟର ବିଫଳତାର ବେଦନା ଏବଂ ସେ ନୈରାଶ୍ୟ ସାଂସାରିକ ଭୋଗ୍ୟବସ୍ତୁର ଅଭାବଘଟିତ ନୈରାଶ୍ୟ ନୁହେଁ । ତାହା ଜୀବନ, ମରଣ ଓ ଭାଗ୍ୟର ଚିରନ୍ତନ ରହସ୍ୟର କୌଣସି ଗୋଟିଏ ଅମୀମାଂସିତ ସମାଧାନଜନିତ ନୈରାଶ୍ୟ ଓ ବିଫଳତାର ବେଦନା ।

 

ପାଶ୍ଚାତ୍ୟ ମନୀଷୀଗଣ ଓମାରଙ୍କ ଲଳିତ ଚୌପଦୀରେ ମୁଗ୍‌ଧ ହୋଇ ତାଙ୍କ ରଚନାରେ ଥିବା ଭୋଗବାସନାକୁ ବଡ଼କରି ଦେଖିଛନ୍ତି ଏବଂ ସୁରା ଓ ସାକୀ ଉପରେ ସବିଶେଷ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ କେହି କେହି ତାଙ୍କୁ ଚାର୍ବାକ ମତାବଲମ୍ବୀ, ଏପିକିଉରିୟ (Epicureau) ଜଡ଼ବାଦୀବୋଲି ଅଭିହିତ କରିଥାନ୍ତି । ଏହି ଧାରଣାର ବଶବର୍ତ୍ତୀ ହୋଇ କେହି କେହି ତାଙ୍କ ରଚନାକୁ କେବଳ ‘ସୁରା, ସାକୀ ଓ ଗୋଲାପ’ର କବିତା ବୋଲି ଭୁଲ ମଧ୍ୟ ବୁଝିଥାନ୍ତି । କିନ୍ତୁ ଏହି ଧାରଣା ବିରୁଦ୍ଧରେ ଫରାସୀ ଲେଖକ ମଶିଁୟେ ନିକୋଲା (Nicholas) ଦୃଢ଼ ପ୍ରତିବାଦ ଜଣାଇ କହିଛନ୍ତି ଯେ ଏହି ସୁରା ସାକୀ ରୂପକ ମଧ୍ୟରେ ଓମାର୍‌ କେବଳ ସେହି ଅରୂପ ସନ୍ଧାନର ପ୍ରୟାସୀ ଦର୍ଶନ ଶାସ୍ତ୍ରର ମହାସାଗର ମନ୍ଥନ କରି ଅମୃତର ସନ୍ଧାନ ଯେତେବେଳେ ପାଇନାହାନ୍ତି, ସେତେବେଳେ ସେ କହିଛନ୍ତି-

 

ଜ୍ଞାନ ଗର୍ବିତ ଗଳ୍ପଚାତୁରୀ କରୁଥାଉ ପୁରେ ବସି,

ସେ ପୁର ତିଆଗି ଆସ ଗୋ ସଜନି ଯିବା ଚାଲି ହସି ହସି ।

 

ଏଥିରୁ ଜଣାଯାଏ, ଓମାର୍‌ ନିଜେ ଜ୍ଞାନୀ ଓ ଶାସ୍ତ୍ରବେତ୍ତ ଥିଲେ ମଧ୍ୟ ଶାସ୍ତ୍ରର ଜଟିଳ ସମସ୍ୟା ତାଙ୍କ ପକ୍ଷରେ ପ୍ରୀତିକର ନଥିଲା ଏବଂ ଜୀବନର କୌଣସି ସମାଧାନ ମଧ୍ୟ ସେଥିରୁ ସେ ପାଇପାରି ନଥିଲେ । ତେଣୁ ଜୀବନହିଁ ଥିଲା ତାଙ୍କ ପକ୍ଷରେ ଶ୍ରେଷ୍ଠ ସତ୍ୟ, ପରମ ଗୌରବ ଓ ଚରମ ଉପଭୋଗର ସାମଗ୍ରୀ । ଜୀବନ ଯେପରି ସତ୍ୟ ଓ ଆନନ୍ଦମୟ ମୃତ୍ୟୁ ମଧ୍ୟ ସେହିପରି ତାହାର ପୂର୍ଣ୍ଣତା ଓ ପୂର୍ଣ୍ଣଚ୍ଛେଦ । ଅନୁରାଗରେ ଯେପରି ସତ୍ୟ ଅଛି, ବିରାଗରେ ମଧ୍ୟ ସତ୍ୟ ସେହିପରି ନିହିତ । ତାହାରି ଭିତରେହିଁ ଜୀବନକୁ ଦେଖିବାକୁ ହେବ, ଅନୁଭବ କରିବାକୁ ହେବ ଓ ଉପଭୋଗ କରିବାକୁ ମଧ୍ୟ ପଡ଼ିବ ।

 

ଅନୁରାଗେ ଅବା ବିରାଗେ ଦୀପ୍ତ ସତ୍ୟ-ପ୍ରଦୀପ ଅମର ଶିଖା,

ନିଃଶେଷେ ଆଜି ଭାସ୍ୱର କରୁ, ମନ ମନ୍ଦିର ପରାଣ ସଖା;

ସଂକେତ ତାର ମିଳଇ ଯଦି ବା ମାଟିର ଜୀର୍ଣ୍ଣ ସରାଇଘରେ,

କି ଲାଗି ମାନବ ଢାଳଇ ଅଶ୍ରୁ ମନ୍ଦିରେ ଡାକେ ଉଚ୍ଚସ୍ୱରେ ?

 

ସୁରା ସାକୀ ତେଣୁ ଜୀବନର ପ୍ରତୀକ- ଜୀବନର ଅନୁରାଗ ଓ ବିରାଗ ସେଥିରେ ରୂପାୟିତ । ଜୀବନ ଓ ଜଗତର ସକଳ ସୌନ୍ଦର୍ଯ୍ୟ ଓ ରସର ଏହାହିଁ ନିର୍ଯ୍ୟାସ । ଜୀବନରେ ଜ୍ଞାନର ଗବେଷଣା ସେ କରିଛନ୍ତି ଓ ପରିଣାମରେ ତାର ଅସାରତା ମଧ୍ୟ ଉପଲବ୍‌ଧି କରିଛନ୍ତି । ତେଣୁ ସେ ଗାଇଛନ୍ତି–

 

ଜାଣ କି ବନ୍ଧୁ ଅତୀତ ଜୀବନେ ରୁକ୍ଷ-ମନୀଷା - ବଧୂ

କଲି ପରିଣୟ, ପ୍ରଣୟେ ତା ତୁଲେ ସଞ୍ଚିଲି ଯେତେ ମଧୁ;

ମଧୁ ନୁହେଁ ସେ ତ ଗରଳ କି ହୁତାସନ,

ବନ୍ଧ୍ୟା ବଧୂରେ କଲି ମୁଁ ନିର୍ବାସନ ।।

ଆବର ବରିଲି ରକ୍ତିମ ସୁରା ସଂଗିନୀ ପ୍ରିୟତମା,

ଦ୍ୱାକ୍ଷାଲତାର ଲାଳିତା କନ୍ୟା ବନ୍ଦିତା ମନୋରମା ।

 

ଜୀବନ ଗତିଶୀଳ ଏବଂ ଏଇ ଗତିଶୀଳତାହିଁ ଜୀବନର ଏକ ଧର୍ମ । ତେଣୁ ତାର ପ୍ରବହମାନ ମୁହୂର୍ତ୍ତକୁ ଧରି ରଖି ଓମର୍‌ ନିଜ ଚୌପଦୀ ଭିତରେ ସର୍ବଦା ଗାଇଛନ୍ତି–

 

ସବୁ କଥା ପରେ ଏକଇ ସତ୍ୟ ଏ ଜୀବନ ଯାଏ ବହି,

ଏକଇ ସତ୍ୟ-ଏଇଯେ ଜୀବନେ ବାକି ସବୁ ମିଛି ସହି !

 

ତେଣୁ ଜୀବନର ସାମୟିକ ତୁଚ୍ଛତା ଓ ସବୁ କଥାର ଅନିଶ୍ଚିତତା ଅବହେଳା କରି ବାସ୍ତବ ଜୀବନର ବେଦନାଠାରୁ ସେ ଦୂରରେ ରହିବାକୁ ଚାହିଁଛନ୍ତି । ଏହା କବିଙ୍କର ପଳାୟନବାଦ ଓ ନୈରାଶ୍ୟ ଭାବର ପରିଚାୟକ ହେଲେ ମଧ୍ୟ ଆନନ୍ଦ ଓ ଉପଭୋଗ ମଧ୍ୟରେ ଯେ ସାଂସାରିକ ସମସ୍ତ ପ୍ରଶ୍ନର ସମାଧାନ ନିହିତ ତାକୁହିଁ ସେ ଜୀବନର ସତ୍ୟ ବୋଲି ସ୍ୱୀକାର କରି ନେଇଛନ୍ତି । ଗୀତିକାବ୍ୟ, ସାମାନ୍ୟ ସୁରା, ସଙ୍ଗୀତର ମୂର୍ଚ୍ଛନା ଓ କବିତା ରଚନାକୁ ଜୀବନରେ ସ୍ୱର୍ଗସୁଖ ବୋଲି ସେ ମଣିଛନ୍ତି । ଓମାର ‘ବର୍ତ୍ତମାନ’ର ଥିଲେ ଉପାସକ । ‘ବର୍ତ୍ତମାନ’ହିଁ ତାଙ୍କ ପକ୍ଷରେ ଚରମ ସୁଖ ପରମ ଗୌରବର ବିଷୟ । ତେଣୁ ଅତୀତର ଶୋକ, ଶୋଚନା ବା ବିଷାଦକୁ ଅନ୍ତର କରି ଏବଂ ଭବିଷ୍ୟତକୁ ଭ୍ରୂକ୍ଷେପ ନକରି ‘ବର୍ତ୍ତମାନ’ର ସ୍ତୁତିଗାନ ସେ କରିଛନ୍ତି-

 

ଗତକାଲି ସେତ ମରଣ ସେପାରେ ‘ଅନାଗତ’ କେଉଁ ସୁଦୂରେ,

କିଲାଗି ଭାବନା-ଆଜି ଏ ବାସର ମଧୁମୟ ଯେବେ କରିପାର ମଧୁ ଋତୁରେ ।

 

ପୁଣି ଓମାର୍‌ଙ୍କ ଅଧିକାଂଶ ରଚନାରେ ନିୟତି ପ୍ରତି ଏକ ବିଦ୍ରୋହ ମନୋଭାବ ଅତି ସ୍ପଷ୍ଟ । ଅଦୃଷ୍ଟର ଅଜ୍ଞେୟତା ନିକଟରେ ମଣିଷର ଶକ୍ତି ଯେ ସସୀମ ଏହାହିଁ ଯେପରି ନିଜ କବିତାରେ କବି ଘୋଷଣା କରିବାକୁ ଯାଇଛନ୍ତି–

 

ଅବନୀର ସୀମା ପରପାରେ ଗ୍ରହ-କକ୍ଷ ଭେଦିଲି ହେଳେ,

ବୁଝିଲି ମାନବ ଆୟାସ ଲବ୍‌ଧ କୋଟି କଳା କଉଶଳେ;

ଛେଦିଲି ଗ୍ରନ୍ଥି ଶତ,

ମାନବ ଭାଗ୍ୟ-ମରଣ-ଗ୍ରନ୍ଥି ରହିଗଲା ଅନାହତ;

ପ୍ରଜ୍ଞା ମୋ ପରାହତ ।

 

ନିୟତିହିଁ ସର୍ବଶକ୍ତିମାନ୍‌ ଏବଂ ତାହାରି ଇଙ୍ଗିତରେ ମଣିଷର ଭାଗ୍ୟ ସର୍ବଦା ନିୟନ୍ତ୍ରିତ । ମଣିଷ ତା ନିକଟରେ ଯେପରି ଅସହାୟ ଓ ପଙ୍ଗୁ–

 

ବଡ଼ ବିଚିତ୍ର ନ୍ୟାୟବଳ-ପାଲି ନିୟତି ଦେଇଛି ପାରି,

ଦିବସ-ଯାମିନୀ ଅଦ୍ଭୁତ ଛକି ‘ଗୋଟି’ ରୂପେ ନରନାରୀ;

ବାମେ ବାମେତରେ ଏକ ଦିଗେ ଅବା ଆନଦିଗେ କେହୁ ଚଳେ,

ବଞ୍ଚଇ କେବା ମରି ଶୁଏ ଆନ ନିୟତି ଇଚ୍ଛାବଳେ ।

କକ୍ଷୁଁ ନପାରେ ହଟି,

ଖେଳ ଅବସାନେ ବିରାଟ ଶୂନ୍ୟ ଗର୍ଭେ ଚଳଇ ‘ଗୋଟି’ ।

 

ପୁଣି–

 

ନିୟତି ଯେ ଲିପି ଲେଖିଛି ଲଲାଟେ ଅଙ୍ଗୁଳି ଧୀରେ ଚାଳି,

ଆନ କେ କରିବ ତହୁଁ ଏକପଦ ନୟନ ଅଶ୍ରୁ ଢାଳି ?

ପ୍ରଜ୍ଞାର ବଳେ ପୂଣ୍ୟ-ବିଧାନେ ସବିନୟ ଅନୁନୟେ

ପାରିବନି କେହି ଲେଉଟାଇ ତାରେ ସେ ଲେଖା ବଜ୍ର ପ୍ରାୟେ ।

 

ମଣିଷ ଅନ୍ଧବିଶ୍ୱାସ, ଯୁକ୍ତିହୀନତା ଓ ନିର୍ବୋଧତାର ବଶବର୍ତ୍ତୀ ହୋଇ ସ୍ୱର୍ଗ ଆଶାରେ ମନ୍ଦିର, ମସଜିଦ୍‌ରେ ଯାଇ ମୁକ୍ତି ଖୋଜିଥାଏ । କିନ୍ତୁ ଏହି ଦେବପୂଜା ଓ ମଣିଷର ସ୍ୱର୍ଗ କଳ୍ପନା ବା ମୁକ୍ତିସାଧନା ଯେ ଅସାର ତାହା ବାରମ୍ବାର ଓମାର୍‌ ମୁକ୍ତ କଣ୍ଠରେ ଆମକୁ କହି ଯାଇଛନ୍ତି । ତଥାକଥିତ ‘‘ସ୍ୱର୍ଗ’’ ମଧ୍ୟ ଆମରିପରି ପଙ୍ଗୁ, ଅଥର୍ବ ଓ ଅନ୍ୟ ଇଚ୍ଛାଶକ୍ତିର ଅଧୀନ ।

 

ଏଇତ ଆକାଶ ସାମିଆନାସମ ବିସ୍ତୃତ ଚଉପାଶେ,

ଜୀବନ-ମରଣ-ସଂଗ୍ରାମେ ନତ ନର

ନିମ୍ନେ ଯାହାର ଅଭିନୟ ପରକାଶେ;

 

 

କର ତୋଳି ତାରେ ମିନତି କି ଲାଗି କର ?

ଆମପରି ସେତ ଚିର ଅଥର୍ବ ନିର୍ବୋଧ ଘୋରତର ।

 

ତେଣୁ ମଣିଷର ଅଶ୍ରୁ ଓ ଭାଗ୍ୟବିପାକ ପାଇଁ ଈଶ୍ୱରଙ୍କୁ ଦୋଷୀବୋଲି ସେ ସାବ୍ୟସ୍ତ କରିଛନ୍ତି ଓ ତାଙ୍କର ଅବିଚାର ପାଇଁ ବିଦ୍ରୋହ ମଧ୍ୟ କରିଛନ୍ତି ।

 

ଚଲାପଥେ ମୋର ଦୁଷ୍କୃତ ଲାଗି ସରଜିଲ ଖାଲ ଖମା,

ସ୍ଖଳନ ମନାସି ବସାଇଲେ ଫାସ କଲ ନିତି ପଥବଣା;

ପଡ଼ିଗଲେ ଖସି ତୁମ ହାତଗଢ଼ା ଏଇ ପିଚ୍ଛିଳ ପଥେ,

‘‘ନିଜ ଅର୍ଜିତ ପାପ ପରିଣାମ’’ ବୋଲି କହ କେଉଁ ମତେ ?

 

ଈଶ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ ଏଥିରେ ଅଛି ସତ; କିନ୍ତୁ ଓମାରଙ୍କର ‘‘ଈଶ୍ୱରବାଦ’’ ଏଥିରେ ବ୍ୟାହତ ହୋଇଥିଲା ପରି ମନେହୁଏ ନାହିଁ । ଯେଉଁ ଅଜ୍ଞାତ ଶକ୍ତି ପାଖରେ ମଣିଷର ସକଳ ବ୍ୟଥା, ବେଦନା ଓ କରୁଣ ରୋଦନ ନିରର୍ଥକ ତାକୁହିଁ ‘‘ଈଶ୍ୱର’’ ଅଭିହିତ କରି ଟମାସ୍‌ ହାର୍ଡ଼ି (Thomas Hardy) ଯେପରି ତାଙ୍କର ‘‘ଅସ୍ତିବାଦ’’କୁ ବଜାୟ ରଖିଛନ୍ତି । ହାର୍ଡ଼ଙ୍କ ଚିନ୍ତାଧାରା ଠିକ୍ ଓମାର୍‌ଙ୍କ ଚିନ୍ତାଧାରାର ଅନୁରୂପ । ସେ ଓମାର୍‌ଙ୍କ କବିତା ପଢ଼ି ଏତେ ତନ୍ମୟ ହୋଇଥିଲେ ଯେ ଏଇ ରଚନାର ଗୋଟିଏ ଚମତ୍କାର ପଙ୍‌କ୍ତି ମୃତ୍ୟୁର ଅବ୍ୟବହିତ ପୂର୍ବରୁ ପଢ଼ି ଶୁଣାଇବାକୁ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲେ ଏବଂ ଓମାର୍‌ଙ୍କ ଦର୍ଶନକୁ ନିଜର ଜୀବନ-ଦର୍ଶନ ବୋଲି ମାନି ନେଇଥିଲେ ।

 

Oh Thou, who Man of baser Earth didst make,

And who with Eden didst devise the snake;

For all the Sin wherewith the Face of Man

Is blackened, Man's Forgiveness give and take !

 

ତାର ଓଡ଼ିଆ ଅନୁବାଦ ଲେଖକ ଦେଇଛନ୍ତି–

 

ସରଜିଲ ତୁମେ ତୁଚ୍ଛ ଧାତୁରେ, ସୁନ୍ଦର ନରନାରୀ,

ନନ୍ଦନବନେ କାଳକୂଟ-ଭୋଗୀ ଥାପିଲ ବା କେଉଁପରି ?

ଲେପିଲ ଘୃଣ୍ୟ କଳଙ୍କ ଯେତେ ମାନବ ଶୁଭ୍ରାନନେ,

କ୍ଷମହେ ତାହାର ସବୁ ଅପରାଧ, କ୍ଷମାଘେନ ତାର ତୁମେ ।

 

ତେଣୁ ନିୟତି ବିରୁଦ୍ଧରେ ଚକ୍ରାନ୍ତ କରିବାକୁ କବି ଚେଷ୍ଟା କରିଛନ୍ତି ଏବଂ ନୂତନ ସୃଷ୍ଟିର ସୃଜନ ସ୍ୱପ୍ନରେ ବିଭୋରହୋଇ ଗାଇଛନ୍ତି–

 

ନିୟତିର ତୁଲେ ପାରିବ ଗୋ ଯେବେ ବାରେ ମନ୍ତ୍ରଣା କରି,

ଦୈନ୍ୟ-ଜଡ଼ିତ ନିଖିଳ-ଯୋଜନା ଦୁର୍ମଦସମ ଦଳି;

କରି କି ପାରିବ ନାହିଁ-

ଆମ ମନଲାଖି ନୂଆ ସର୍ଜନା ଅନ୍ତର ଅନୁଯାୟୀ ?

 

ଓମାର ତାଙ୍କ ପରବର୍ତ୍ତୀ ଯୁଗର ସୁଫୀ କବିମାନଙ୍କ ପରି ମାନବ ଜୀବନରେ ପ୍ରଣୟର ପ୍ରଭାବ, ପ୍ରେମର ସାର୍ଥକତା, ମିଳନ-ବିରହଜନିତ ସୁଖ-ଦୁଃଖ, ଦର୍ଶନ ପାଇଁ ବ୍ୟାକୁଳତା ଓ ଅଦର୍ଶନର ବେଦନା ପ୍ରଭୃତି ପ୍ରେମର ବିଭିନ୍ନ ବୈଚିତ୍ର୍ୟମୟ ବିଭାଗ ଓ ଅନୁଭୂତିକୁ ନିଜର ରଚନା ମଧ୍ୟରେ ଲିପିବଦ୍ଧ କରି ଯାଇଛନ୍ତି । ସୁଫୀ କବିମାନଙ୍କର ସେ ଆଦିଗୁରୁ ଥିବେ ବୋଲି କେହି ସମାଲୋଚକମାନଙ୍କର ମଧ୍ୟ ଅଭିମତ । ବେଦନା ଓ ବିରହରେ ହିଁ ପ୍ରେମର ସାର୍ଥକତା ଓ ଗୌରବ ନିହିତ, ଏକଥା ସୁଫୀ ଓ ସନ୍ଥ କବିମାନଙ୍କ ପୂର୍ବରୁ ଓମାର ଆମକୁ କହି ଯାଇଛନ୍ତି ।

 

ପୂଜାର ପିତୁଳା ବୋଲି ଯା ପୂଜିଲି ଅପବାଦ ବହି ଶିରେ,

ଜନତା ନେତ୍ରେ ତାଲାଗି ମହତ ସଂଭ୍ରମ ଗଲା ଧୀରେ;

ଅଗଭୀର ସୁରାପାତ୍ରେ ଲିଭିଲା ଜୀବନର ଗୀତି ମୂଲ,

ତୁଚ୍ଛ ବୋଲି ଯା’ ହସି ଉଡ଼ାଇଲେ ହେଲା ସମ୍ମାନ ଜୂର ?

 

କଳଙ୍କ ଓ ଅପବାଦର କଣ୍ଟକମୟ ପଥରେହିଁ ପ୍ରେମର ଜୟଯାତ୍ରା ଓ ତାହାରି ଭିତରେ ପ୍ରେମର ଅଗ୍ନି-ପରୀକ୍ଷା । ‘ବିରହ ଅଗ୍ନି ଅନ୍ଦର ଜାରୈ ତବ ପାବୈ ପଦ ପୂରା’- ବିରହ ଅଗ୍ନି ଯାହାର ଅନ୍ତରକୁ ଦଗ୍‌ଧ କରେ ସେହି କେବଳ ପୂର୍ଣ୍ଣତାପଦ ପ୍ରାପ୍ତ ହୁଏ ।

 

ଓମାର ଈଶ୍ୱରଙ୍କଠାରେ ଆସ୍ଥା ରଖି ନାହାନ୍ତି ସତ; କିନ୍ତୁ ଜୀବନ ଉପରୁ ସେ କେବେ ବିଶ୍ୱାସ ହରାଇ ନାହାନ୍ତି । ବରଂ ସେହି ଶ୍ରେଷ୍ଠ ଶକ୍ତିର ସୂଚନା ଓ ସ୍ୱାକ୍ଷର ମାନବଠାରେ ଯେ ନିହିତ ଏବଂ ପରମ ପ୍ରାଣର ମୁଦ୍ରା ବହନ କରି ମଣିଷର ମର ଶରୀର ଯେ ଗୌରବୋଜ୍ଜ୍ୱଳ, ଏ କଥା ପରିଷ୍କାର ଭାବରେ ଆମକୁ ସେ କହି ଯାଇଛନ୍ତି ।

 

ଶୂନ୍ୟ ସେ କେଉଁ ପରମ ଅଂଶୁ ଆସିଲି ଭାସି ମୁଁ ଧରଣୀ ଦେହେ,

ଗ୍ରହ ଗୁରୁ ତେଜେ-ଚିର ଭାସ୍ୱର ଦୀପ୍ତ ସେ ଏକ ଅଶ୍ୱ ଗେହେ;

କଳ୍ପିତମୋର ଧୂଳିର ଶରୀରେ ଏମୋର ଆତ୍ମା ତଳେ

ଜାଣିକି ସଜନୀ ଅଲିଭା ଏ କାହାର ପ୍ରତିଫଳେ ?

 

ଏହା କେବଳ ଓମାରଙ୍କର ଆତ୍ମଲିପି ନୁହେଁ, ଜୀବନ ପ୍ରତି ଏହା ତାଙ୍କର ଧ୍ୟାନ-ଧାରଣା ଓ ଦର୍ଶନ । ମଣିଷର ଶକ୍ତିରେ ସେ ଥିଲେ ଆସ୍ଥାବାନ୍ । ‘ଶୁନ ହେ ମାନୁଷ ଭାଇ, ସବାର ଉପରେ ମାନୁଷ ସତ୍ୟ ତାହାର ଉପର ନାଇଁ’ - ଚଣ୍ଡୀଦାସଙ୍କର ଏହି ଅମର ବାଣୀ ତାଙ୍କର ବହୁ ପୂର୍ବର ଓମାରଙ୍କ ଚୌପଦୀ ଗୁଡ଼ିକରେ ଯେପରି ଆତ୍ମପ୍ରକାଶ କରିବାକୁ ଚେଷ୍ଟା କରିଛି । ତେଣୁ ଓମାର ଦଳିତ ଓ ପୀଡ଼ିତ ଜୀବନର ବ୍ୟଥାକୁ ଅନୁଭବ କରିଛନ୍ତି ଏବଂ ତାର ଅଭିଯୋଗକୁ ଘଟ ଓ ଘଟକାରର ରୂପକ ମଧ୍ୟରେ ଅଭିବ୍ୟକ୍ତି ମଧ୍ୟ ଦେଇଛନ୍ତି ।

 

ବ୍ୟଥିତକଣ୍ଠେ ଘଟ କହେ; ଧୀରେ ଦାରୁଣ ଆଘାତ ପାଇ

ଭାଗ୍ୟହୀନର ଦରଦୀ ମରମ, ବନ୍ଧୁ ! ବୁଝ କି ନାହିଁ ?

 

କମ୍ପିତ କରେ କିଲାଗି ବିହିଲା ରୂପ ମୋର ଘଟକାର,

ଯା ଲାଗି ଜୀବନେ ଶତ ବିଦ୍ରୁମ ଲାଞ୍ଛନା ଅବିଚାର-

ସହିଲି ମୁଁ ବାରବାର ।

 

ମଣିଷ ନିଜ ରୂପରେ ନିର୍ମଳ ଓ ପବିତ୍ର । କିନ୍ତୁ ବହୁ ଯୁଗର ଅବହେଳା ଓ ଅପୂଜା ଫଳରେ ଦେବତା ପଥର ପାଲଟିଗଲା ଭଳି ମଣିଷ ଅନେକ ସମୟରେ ତାର ଶକ୍ତି ଓ ସ୍ୱଚ୍ଛଳ ଜୀବନଗତିକୁ ହରାଇ ବସିଥାଏ । କିନ୍ତୁ ଶ୍ରଦ୍ଧା ଓ ସମ୍ମାନ ଦ୍ୱାରା ପଥର ପୁଣି ଦେବତ୍ୱରେ ପ୍ରତିଷ୍ଠିତ ହେଲାଭଳି ମଣିଷ ମଧ୍ୟ ମଣିଷର ଶ୍ରଦ୍ଧା ଓ ସମ୍ମାନ ଦ୍ୱାରା ନିଜର ପ୍ରକୃତ ରୂପ ଯେ ଫେରିପାଏ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ସୃଷ୍ଟିରେ ସମସ୍ତଙ୍କର ମୂଲ୍ୟ ରହିଛି । କେହି ଅବହେଳାର ସାମଗ୍ରୀ ନୁହନ୍ତି । ଏହି କଥାକୁ କବି ରୂପକ ମଧ୍ୟରେ କହିଛନ୍ତି:-

 

ଆନଘଟ ତହୁଁ ବିକଳେ କହଇ ଦୀର୍ଘ ଶୁଆସ ତୋଳି,

‘‘ବିସ୍ମୃତି ତଳେ ମୋ ଜୀବନ କଥା ସକଳେ ଗଲେଣି ଭୁଲି;

ମାତର ଏ ଦେହ ଶୁଷ୍କ ହେଲେ ବି ଭାଇ,

ପୁରାତନ ସୀଧୁରସେ ରସମୟ କଲେ ମୁଁ ଉଠିବି ଜୀଇଁ ।’’

 

ମେଟାରଲିଙ୍କ ନିଜ ନାଟକରେ ଜଡ଼ବସ୍ତୁକୁ ଜୀବନମନ୍ତ୍ରରେ ସଂଜୀବିତ କଲାଭଳି ଓମାର୍ ମଧ୍ୟ ନିଜ ରଚନାରେ ଜଡ଼ ଦେହରେ ଜୀବନର ଆରୋପ କରିଛନ୍ତି ଏବଂ ଏଇ ରଚନାଗୁଡ଼ିକ (କୁଜାନାମା) କବିତ୍ୱ ଦୃଷ୍ଟିରୁ ଯେପରି ଅପୂର୍ବ ମାନବାତ୍ମାର ଅଶ୍ରୁଳ ଅଭିଯୋଗ ଓ କାରୁଣ୍ୟର ବ୍ୟଥାରେ ମଧ୍ୟ ସେହିପରି ରସସିକ୍ତ ।

 

ପରିଶେଷରେ ଓମାରଙ୍କ କବିତାର ଅନୁବାଦ ଆମହାତକୁ ସେ ଆଜି ଆସିଚି ସେଥିପାଇଁ ଆମର ଗର୍ବ କରିବାର କଥା । ବଙ୍ଗଳାରେ ବହୁ ଲେଖକଙ୍କ ଦ୍ୱାରା ଏହାର ଅନୁବାଦ କାର୍ଯ୍ୟ ହୋଇଛି ଏବଂ ନରେନ୍ଦ୍ର ଦେବଙ୍କର ଅନୁବାଦ ବଙ୍ଗଳାରେ ବହୁମାତ୍ରାରେ ପ୍ରଶଂସିତ । କିନ୍ତୁ ସେଥିରେ ମଧ୍ୟ ଅତିରଞ୍ଜନ ଓ ସ୍ୱେଚ୍ଛାଚାର ରହିଚି ଏବଂ ମୂଳ କବିତାର ମର୍ମ ବହୁସ୍ଥଳରେ ଅବହେଳିତ ଅଥବା ବିସ୍ତୃତ । ଏହି ଓଡ଼ିଆ ଅନୁବାଦରେ ସେ ପ୍ରକାରର ଅତିରଞ୍ଜନ ବା ସ୍ୱେଚ୍ଛାଚାର ନାହିଁ । ଏହା ନିଜର ସ୍ୱକୀୟ ଛନ୍ଦ, ଅନୁବାଦର ସୌନ୍ଦର୍ଯ୍ୟ ଓ ମୂଳକବିତାର ବ୍ୟଞ୍ଜନାରେ ପ୍ରାଣବନ୍ତ ହେବା ସଙ୍ଗେ ଓମାରଙ୍କୁ ଓମାର୍ ରୂପରେ ହିଁ ଆମକୁ ପରିବେଷଣ କରିଛି । ଜଟିଳ ଇଂରାଜୀ ଭାଷାକୁ ସରଳ ଓ ଲଳିତ ପଦ୍ୟାବଳୀରେ ଓଡ଼ିଆରେ ପ୍ରକାଶ କରିବା ଦିଗରେ ଏହି ଅନୁବାଦ ସାର୍ଥକ ହୋଇଚି ଏବଂ କଠିନ ଅର୍ଥବାହୀ ପଙ୍‌କ୍ତିଗୁଡ଼ିକ ଓଡ଼ିଆରେ ସହଜବୋଧ୍ୟ ଓ ପ୍ରାଞ୍ଜଳ ହେବା ସଙ୍ଗେ ତାର ରସ ଓ ସୌନ୍ଦର୍ଯ୍ୟବୃଦ୍ଧି ଦିଗରେ ମଧ୍ୟ ସହାୟତା କରିଚି । ବିଶ୍ୱକବି ରବୀନ୍ଦ୍ରନାଥ ଏଇ ଓମାର୍ ଖୈୟାମଙ୍କ ଏକ ବଙ୍ଗଳା ଅନୁବାଦର ଭୂମିକାରେ କହିଛନ୍ତି, ‘‘ପାରସ୍ୟବଧୂର ବିଦେଶ ଗମନଜନିତ ସ୍ୱଭାବସୁଲଭ ଲଜ୍ଜା ସତ୍ତ୍ୱେ ତାର ସ୍ମିତହାସ୍ୟ ଅବଗୁଣ୍ଠନ ଭେଦ କରି ଆତ୍ମପ୍ରକାଶ କରିଛି ।’’ ମାତ୍ର ଏଠି ପାରସ୍ୟବଧୂ ଉତ୍କଳ ମାଟିରେ ପଦାର୍ପଣ କରି ଉତ୍କଳିକାର ଚାଲିଚଳଣ ଓ ରୂପ ପରିପାଟୀକୁ ପ୍ରସନ୍ନ ଚିତ୍ତରେ ଗ୍ରହଣ କରି ନେଇଛି । ପାରସ୍ୟର ଅମଳିନ ଗୋଲାପ ଏ ମାଟିରେ ସ୍ୱତନ୍ତ୍ର ବର୍ଣ୍ଣ ଧାରଣ କରି ଆହୁରି ରୂପ, ରସ, ଗନ୍ଧମୟ ହୋଇଉଠିଚି । ଏହି ଦୂରକାନନର ଗୋଲାପ ଲତିକାର ଆହରଣ, ରୋପଣ ଓ ପରିବର୍ଦ୍ଧନରେ ଯେତେ କଣ୍ଟକାଘାତର ପୀଡ଼ା ସହ୍ୟ କରିବାକୁ ପଡ଼ିଥିବ ତାହା ସହୃଦୟ ମାତ୍ରକେ ଉପଲବଧି କରି ପାରିବେ । ମାତ୍ର ଗୋଲାପର ସୌରଭରେ ସମସ୍ତେ ଯେ ଆତ୍ମହରା ହେବେ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଏଇ ଅନୁବାଦରେ ଶ୍ରୀଯୁକ୍ତ କାନୁନ୍‌ଗୋଙ୍କର ଲେଖନୀ ଓ ତୂଳିକା ଉଭୟ ମୁଖର ହୋଇଉଠିଚି ଏକାଧାରରେ ଘଟିଚି ତାଙ୍କ କବି ଓ ଶିଳ୍ପୀ ପ୍ରାଣର ସମନ୍ୱୟ । ତେଣୁ ସେ କେବଳ ଛନ୍ଦ ଦ୍ୱାରା ଭାବପ୍ରକାଶ କରି ସନ୍ତୁଷ୍ଟ ରହି ପାରିନାହାନ୍ତି । ବିଚିତ୍ର ରୂପବ୍ୟଂଜନାର ପ୍ରକାଶ ମଧ୍ୟରେ ପ୍ରକାଶଧର୍ମୀ ଶିଳ୍ପୀଙ୍କର ଗୂଢ଼ ଭାବପ୍ରକାଶର କ୍ଷମତା ସ୍ପଷ୍ଟହୋଇ ଉଠିଚି । ପ୍ରଚ୍ଛଦପଟର ରୂପବ୍ୟଞ୍ଜନାରେ ସୁରା, ସାକୀ ଓ ଗୋଲାପର ସମସ୍ତ ଦର୍ଶନ ଅତି ଅଦ୍ଭୁତ ଭାବରେ ଧରା ଦେଇଛି-। ଓମାର ଖୈୟାମ୍‌ଙ୍କ ପ୍ରଥମ ପଦର ଜାଗରଣୀ, ଚିତ୍ରିତ ଖୟାମ୍‍ର ମୁଖଭଙ୍ଗୀରେ ପ୍ରକାଶ ପାଇ ସଙ୍ଗିନୀର ବିଶ୍ୱସୁସୁପ୍ତିକୁ ଆଘାତ କରୁଚି ।

 

ତରୁଛାଇ ଘେରା ସ୍ନିଗ୍‌ଧ ଶ୍ୟାମଳ କାନନରେ ବସି କାବ୍ୟଗୀତିକା, ମଦିରାପାତ୍ର ଓ ଅଳ୍ପ ଆହାର ନେଇ ଜୀବନର ସମସ୍ତ ସୁରାକୁ ଉପଭୋଗ କରିବାର ପ୍ରବଳ ବାସନାର ପ୍ରକାଶ ଅନ୍ୟ ଏକ ଚିତ୍ରରେ ଆତ୍ମପ୍ରକାଶ କରିଛି । ଆୟୁ-ବିହଙ୍ଗର କ୍ଷିପ୍ରଗତିତଳେ ଭୋଗର ମାଧୁର୍ଯ୍ୟ ଓ ମୃତ୍ୟୁର କରାଳ ମୁଖ ପାର୍ଶ୍ୱରେ ଜୀବନର ଅଭିବ୍ୟକ୍ତି ଚିତ୍ରଗୁଡ଼ିକ ଜୀବନ୍ତ କରିଛି । ସର୍ବୋପରି ଛାୟାଲୋକ ସଂବଳିତ ଜ୍ୟାମିତିକ ଘନମାନ ମଧ୍ୟରେ ପ୍ରକାଶର ଅପୂର୍ବ ଶୈଳୀ- ଜନ୍ମମୃତ୍ୟୁର ସମସ୍ତ ରହସ୍ୟ ବିରାଟ ଅସୀମତା ମଧ୍ୟରେ ଧରାଦେଇ ସୀମା ମଧ୍ୟରେ ଅସୀମର ରହସ୍ୟ ପ୍ରକାଶ କରି ପାରିଛି । କବି ଓ ଶିଳ୍ପୀ ପ୍ରାଣର ଏଇ ଅପୂର୍ବ ସମନ୍ୱୟ, ଅସୀମ କଳ୍ପନା ଓ ସ୍ୱତନ୍ତ୍ର ପ୍ରକାଶଭଙ୍ଗୀ ଏକ ଉଜ୍ଜ୍ୱଳ ପ୍ରତିଭାର ସ୍ପଷ୍ଟ ସଂକେତ ବହନ କରି ଓଡ଼ିଆ ଅନୁବାଦ ସାହିତ୍ୟରେ ଯେ ନିଜର ବିଶିଷ୍ଟ ସ୍ଥାନ ଦଖଲ କରି ରହିବ ଏହା ନିଶ୍ଚିତ ଏବଂ ଏଥିପାଇଁ କେବଳ ମୋର ଅଭିନନ୍ଦନ ଏକା ନୁହେଁ, ଦେଶର ଅଗଣିତ ପାଠକ ପାଠିକାଙ୍କର ଶ୍ରଦ୍ଧା ଓ ସମ୍ମାନ ଲେଖକ ନିଶ୍ଚୟ ଆକର୍ଷଣ କରିବେ ବୋଲି ମୋର ବିଶ୍ୱାସ ।

 

ପୁରୀ

ଶ୍ରୀ ଚିନ୍ତାମଣି ବେହେରା

ତା ୨୫ । ୮ । ୫୪

ଅଧ୍ୟାପକ, ସାମନ୍ତ ଚନ୍ଦ୍ରଶେଖର କଲେଜ

***

 

ଅଭିମତ

 

ଏକାଦଶ ଶତାବ୍ଦୀର ପାରଶିକ କବି, ଦାର୍ଶନିକ ଓମର୍ ଖୟମ୍‍ଙ୍କର ରୁବାୟତ୍ ବା ଚତୁଷ୍ପଦୀ ବ୍ରିଟିଶ୍ କବି ଫିଟ୍ ଜେରାଲଡ଼୍‌ଙ୍କ ମାଧ୍ୟମରେ ପୃଥିବୀ ପ୍ରସିଦ୍ଧି ଲାଭକଲା । ବହୁଶତାବ୍ଦୀ ଅତୀତ ହୋଇଥିଲେହେଁ ଓମର୍‌ତତ୍ୱ ଶତାବ୍ଦୀବ୍ୟାପୀ ସଂଘର୍ଷ ଓ ପ୍ରଶସ୍ତି ମଧ୍ୟରେ ନିଜର ଅମୃତତ୍ୱ ପ୍ରତିପାଦନ କରିଛି । ପୃଥିବୀ ପୃଷ୍ଠରେ କେତେ ମହାମାନବ ଓ ତତ୍ୱଦର୍ଶୀ ନାସ୍ତିକତା ଦୋଷରେ ଦୁଷ୍ଟହୋଇ ପ୍ରାଣୋତ୍ସର୍ଗ କରିଅଛନ୍ତି । କିଏ ବିଷମାତ୍ର ହସିହସି ପିଇଛି, କିଏ ବା କୃଶ୍ କାଷ୍ଠରେ କଣ୍ଟକପିଷ୍ଟ ହୋଇ ମରିଛି । ଓମର୍ ହୁଏତ ଦୀର୍ଘ ଜୀବଦ୍ଦଶାରେ ସ୍ୱୈରାଚାର ବା ସ୍ୱେଚ୍ଛାଚାର ଦୁଷ୍ଟ ହୋଇ ବଳିପଡ଼ିଥାନ୍ତେ । ଭାଗ୍ୟବଶତଃ ସେପରି ଦୁର୍ଘଟଣା ଘଟି ନ ଥିଲେହେଁ ତାଙ୍କ କାବ୍ୟକୃତିକୁ ବହୁ ଅଗ୍ନି-ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଛି ଓ ପଡ଼ିବ । ସଂଘର୍ଷ ସତ୍ୱେ ଉକ୍ତ ତତ୍ୱଦର୍ଶନ ଜୀବନ୍ତ ଉଲ୍‌କା ସଦୃଶ ଶତାବ୍ଦୀର ତମସା ଭେଦକରି ସ୍ୱୀୟପ୍ରତିଭା ବିଚ୍ଛୁରିତ କରିପାରିଛି । ବିଜ୍ଞାନ ଯୁଗର ମାନବ ଆଜି ବିଶ୍ୱାସ କରେ ‘‘ସୁରା-ସାକୀ’’ ଅଥବା ‘‘ଅତିନ୍ଦ୍ରିୟ ମଧୁକ୍ଷରଣ’’ ଜୀବନ ସର୍ବସ୍ୱ-ଦର୍ଶନ ନୁହେଁ । ଏହି ବିଶାଳ ଓ ବିପନ୍ନ ମାନବ ଆପଣାର ବିରାଟ କୃତି ବା କୃଷ୍ଟି ପଶ୍ଚାତରେ ଦେଖେ ଏକ ଭୟାବହ ନିଷ୍ଫଳତା-ଯାହାକି ତାହାର ସମଗ୍ର ବ୍ୟକ୍ତିଗତ ଜୀବନକୁ ଅଶ୍ରୁପ୍ଲାବିତ କରି ପରିହାସ କରିଆସିଛି-ଏହି ଦର୍ଶନ କେବଳ ଓମରଙ୍କର କାହିଁକି, ସମଗ୍ର ବିଶ୍ୱମାନବର ସଂକ୍ଷିପ୍ତ ଅନୁଭୂତି । ଏହି ଭାବାନୁଭୂତିରେ ଅନୁପ୍ରାଣିତ ହୋଇ ଶିଳ୍ପୀ ଗୋପାଳ କାନୁନ୍‌ଗୋ ତାଙ୍କରି ତୁଳି ଓ ବର୍ଣ୍ଣ ବିନ୍ୟାସ ଭୁଲି କାବ୍ୟଲୋକରେ ଲେଖନୀ ଚାଳନା କରିଅଛନ୍ତି । ଶିଳ୍ପ ଓ କାବ୍ୟକଳା ମଧ୍ୟରେ ଯେଉଁ ସୂକ୍ଷ୍ମ ସୌହାର୍ଦ୍ୟ ଓ ଗୋତ୍ରସାମ୍ୟ ବିଦ୍ୟମାନ, ଶିଳ୍ପୀ କାନୁନ୍‌ଗୋ ତାହାର ତାତ୍‌ପର୍ଯ୍ୟ ପୂର୍ଣ୍ଣମାତ୍ରାରେ ସପ୍ରମାଣ ସଦ୍‌ବ୍ୟବହାର କରିଅଛନ୍ତି । ତାଙ୍କର ଅନୂଦିତ ଗ୍ରନ୍ଥ ଛତ୍ରେ ଛତ୍ରେ ଏହାର ନିଦର୍ଶନ ହେବବୋଲି ଲେଖକ ବିଶ୍ୱାସ କରେ ।

 

ଓମର୍‌ ରୁବାୟତ୍‌ର ଅନୁବାଦ ବିଭିନ୍ନ ଭାରତୀୟ ସାହିତ୍ୟରେ ସୁଲଭ ହେଲେ ମଧ୍ୟ ଉତ୍କଳରେ ତାହାର ଅଭାବ ପରିଲକ୍ଷିତ ହେଉଥିଲା । ଅତୀତରେ ଜଣେ ଅଧେ ସାହିତ୍ୟିକ ଫିଟ୍ ଜେରାଲଡ଼୍‌ଙ୍କର ଇଂରାଜୀ ରୁବାୟତର ଅଂଶ ବିଶେଷ ଅନୁବାଦ କରିଥିଲେ । ମାତ୍ର ସେମାନେ କେତେଦୂର କୃତକାର୍ଯ୍ୟ ହୋଇଥିଲେ ତାହା ସନ୍ଦେହଜନକ । ଶ୍ରୀ କାନୁନ୍‌ଗୋ ଏହି ଅଭାବ ପୂରଣ କରିବା ସଙ୍ଗେ ସଙ୍ଗେ ଅନୁବାଦ ସାହିତ୍ୟ ଯେ କେତେ ସୁନ୍ଦର, ସୁଖପାଠ୍ୟ ହୋଇପାରେ ତାହା ଦର୍ଶାଇବାରେ ଯଥେଷ୍ଟ କୃତି ଦେଖାଇଛନ୍ତି । ପ୍ରତି ରୁବାୟତ୍‍ର ମୂଳଭାବକୁ ଯଥା ସମ୍ଭବ ଅକ୍ଷୁଣ୍ଣ ରଖି, କ୍ଳିଷ୍ଟ ଦର୍ଶନତତ୍ୱର ଅଙ୍ଗହାନି ନକରି, ସୁନ୍ଦର ସୃଷ୍ଟି ବାଢ଼ି ଉତ୍କଳ ଭାଷାର ସୌଷ୍ଠବ ତଥା ବ୍ୟାପକତା ପ୍ରମାଣ କରି ଦେଇଛନ୍ତି । ପାଠକ ମାତ୍ରେ କାବ୍ୟାନ୍ତର୍ଗତ ଭାବବିନ୍ୟାସ, ଛନ୍ଦଲାଳିତ୍ୟରେ ଓ ଭାଷାଚାତୁରୀରେ ମୁଗ୍‌ଧ ହେବେ ଏଥିରେ ସନ୍ଦେହ ନାହିଁ ।

 

ଶେଷରେ ଶ୍ରୀ କାନୁନ୍‌ଗୋଙ୍କର ଏହି ଅଭିନବ ପ୍ରୟାସକୁ ପ୍ରଶଂସା ନକରି ରହି ପାରୁନାହିଁ । ଉତ୍କଳ ସାହିତ୍ୟରେ ଏହା ସର୍ବାଗ୍ରକୃତି ବୋଲି ଅଭିନନ୍ଦନ ଜଣାଇ ସାହିତ୍ୟ ରସିକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

 

ପୁରୀ

ବୈକୁଣ୍ଠ ନାଥ ପଟ୍ଟନାୟକ

୨୦ ।୬। ୫୪

 

***

 

ସଂକେତ ସୂଚୀ

 

(୧) ଇରାମ୍- ଆରବ୍ୟ ବାଲୁକା ତଳେ ପ୍ରୋଥିତ ନଗରୀ ।

 

(୨) ଜାମସିଏଦ୍ - ପାରସ୍ୟ ରାଜା, ଯାହାଙ୍କର ସପ୍ତରତ୍ନ ଖଚିତ ମଦ୍ୟ ପାତ୍ର ଭୁବନବିଖ୍ୟାତ ଥିଲା ।

 

(୩) ଦାୟୁଦ - ଭଗବତ ସ୍ତୋତ୍ର ପାଠ କରିବାରେ କଣ୍ଠ ମାଧୁରୀ ପାଇଁ ପ୍ରସିଦ୍ଧ ।

 

(୪) ପାପିୟା - ଗୀତ-ପ୍ରିୟ ପକ୍ଷୀ ବିଶେଷ ।

 

(୫) କାଏ କୋବାଦ - ଅସାଧାରଣ ଶକ୍ତିସମ୍ପନ୍ନ ରାଜା- ତାଙ୍କର ବୀରପୁତ୍ର ରୁସ୍ତମ୍ ।

 

(୬) ରୁସ୍ତମ୍- ପାରଣ୍ୟ ବୀର ଓ ଯୋଦ୍ଧା ।

 

(୭) ହାତେମ୍‌ତାଇ - ବଦାନ୍ୟ ଭୋଜ୍ୟ ବିଳାସ-ପ୍ରିୟ କବି ।

 

(୮) ମାମୁଦସାହା - ୯୭୧-୧୦୨୯- ଗଜନୀର ଦିଗ୍‍ବିଜୟୀ ସମ୍ରାଟ ।

 

(୯) କୋମଳ ଦଳ - ଗୋଲାପର କୋମଳ ପାଖୁଡ଼ା ।

 

(୧୦) ଜାମ୍‌ସିଏଦ୍ - ପାରଣ୍ୟ ରାଜା । ଯାହାଙ୍କର ସପ୍ତରତ୍ନ ଖଚିତ ମଦ୍ୟପାତ୍ର ଭୁବନ ବିଖ୍ୟାତ ଥିଲା ।

 

(୧୧) ଆବ୍ରାହମ୍ - (Abraham) ବଣ୍ୟ ଗର୍ଦ୍ଦଭ ଶିକାର କରିବାରେ ସିଦ୍ଧହସ୍ତ ।

 

(୧୨) ଅଭ୍ୟୁଦୟ - ଶେଷ ବିଚାରର ଦିନ

***

 

Image

 

Image

 

 

ଉଠ ଉଠ ସଖୀ !

ଏଇ ଯେ, ଶୁଭ୍ର ପ୍ରଭାତ,

ରଜନୀ ଅଙ୍ଗେ

ସହସା ଦେଲାଣି

ନବ-ଉନ୍ମେଷ ଆଘାତ,

ତା ଲାଗି ତାରକା ପଳାଇ ଲୁଚିଲେ ଦୂରେ,

ଆପଣା ଅନ୍ତଃପୁରେ ।

 

ଦେଖ ପୂର୍ବାଶା ତୀରେ କେ

ଶିକାରୀ ଶେଖର,

ଦୀପ୍ତିର ଜାଲେ

ଧରେ ସୁଲ୍‍ତାନ ନଅର,

ତୁଙ୍ଗ ଶିଖର ପରା,

ପଡ଼ିଲାଣି ଏବେ ଧରା ।

***

 

 

ନିଶିଥିନୀ ଶେଷ-

ପ୍ରହରେ ମଧୁର ସପନେ,

ମରମର ବାଣୀ

କହିଗଲା କିଏ ଗୋପନେ -

‘‘ପାନ୍ଥଶାଳାର ତରୁଣ ପଥିକ

ଉଠରେ,

ଜୀବନ-ମଦିରା ଶୁଷ୍କ ନୋହୁଣୁ

ପିଆଲା ତୋ ଭରି ନିଅରେ,

ତରୁଣ ଯାତ୍ରୀ ଜାଗରେ ।

***

 

 

ଡାକେ ଭରତିଆ

ପାହିଲାଣି ଅମାରାତ୍ରି,

ପାନ୍ଥଶାଳାର ଦୁଆରେ

ଠୁଳ ଯେ ଯାତ୍ରୀ,

ଉଚ୍ଚେ ଡାକଇ-‘‘ରୁଦ୍ଧ ଦୁଆର ଖୋଲରେ,

ଖୋଲିଦିଅ ବେଗେ

ଚାଲିଯିବୁଁ ଏଥୁ ସହଳେ,

କେତେ କାଳ ଅବା ରହଣି,

ଗଲେ ଚାଲି ଥରେ

ଫେରିଛି କିଏ ବା କହନି ?’’

***

 

 

ନବ-ବର୍ଷର ନୂଆ ଚଇତାଳୀ ପବନେ

ଜାଗେ ପୁରାତନ ବ୍ୟର୍ଥ ବାସନା ମରମେ,

ତା ଲାଗି ଚଳଇ

ନିର୍ଜନେ ଭାବ ପିୟାସୀ,

ଯହିଁ ତରୁଶାଖେ

‘ଇଶା’ ନିର୍ଦ୍ଦେଶେ ବିକଶି

ଲକ୍ଷ ସୁରଭି ସୁମନ

ମହକାଏ ବନ, କାନନ ।

***

 

Image

 

 

ଲୁପ୍ତ ଇରାମ-ନଗରୀ ବିଭବ ବିପୁଳ,

ତା ସାଥେ ଲୁପ୍ତ ରକ୍ତ-ଗୋଲାପ ଅତୁଳ,

କାହିଁ ଜାମ ସିଏଦ୍

କାହିଁ ସମ୍ପଦ ଅପାର ?

କାହିଁ ସେ ସପ୍ତ-ରତନ-ଖଚିତ ଆଧାର ?

ତଥାପି ମଳୟ ଶିହରଣ ଆଣେ କାନନେ,

ମୁକ୍ତା ଦୋଳଇ ଦ୍ରାକ୍ଷା ଲତାର ଗହଣେ,

ଅଦ୍ୟାପି ତୀର କାନନ

କୁସୁମେ ନିତ୍ୟ ଶୋଭନ ।

***

 

 

ଯାଇଛି ତ ଚାଲି ସେଦିନର ମଧୁ-ସପନ

ଦାୟୁଦ୍ କଣ୍ଠେ ନିରବିଛି ଗୀତି ବଚନ,

ତଥାପି ପାପିୟା

ସ୍ୱର୍ଗୀୟ ସେଇ ପୁରାତନ ସୁରେ ଆବେଗେ,

ଗୋଲାପରେ କହେ -

‘‘ରକ୍ତ ମଦିରା ଢାଳି ଦିଅ ସଖୀ ! ସରାଗେ,

କଣ୍ଠ ମୋହର ଉଚ୍ଛଳ ହେଉ,

ହେଉ ଗୋ ସିକ୍ତ ମଧୁର,

ରକ୍ତିମ ହେଉ ଅଧର ।’’

***

 

 

ଆସ ଆସ ସଖୀ ! ପୂର୍ଣ୍ଣ କର ଗୋ ପିଆଲା,

ଫାଲ୍‌ଗୁନ ଆଜି ପ୍ରଣୟ-ବହ୍ନି ଉତଳା,

ଅବସାଦଭରା ଶୈତ୍ୟ-ଜୀର୍ଣ୍ଣ-ବସନ

ଭସ୍ମ ହେଉ ଗୋ, ଯାଉ ଅନୁତାପ-ଦହନ,

ଆୟୁ ବିହଙ୍ଗ

ମେଲିଛି ପକ୍ଷ ଅଳପେ,

ଉଡ଼ିଯିବ କାହିଁ, ନାହିଁରେ ସମୟ,

ସହସା ନୟନେ ପଲକେ ।

***

 

 

ମନ୍ଦ ମଳୟ ହସିଉଠେ ଉଷା

ହସ ଏ ଲକ୍ଷ କଳିକା,

ଫୁଟି ଝଡ଼ିଯାଏ ବକୁଳ, ମଲ୍ଲୀ

ଭୂଇଁତଳେ ନବ ମାଳିକା;

ରକ୍ତ ଗୋଲାପ ପୁଟାଇଛି ଏ ଯେ

ମଞ୍ଜୁଳ ମଧୁ-ସକାଳ,

ଘେନିଯିବ ସାଥେ କାଏକୋବାଦର

ଶୌର୍ଯ୍ୟ ବିଭବ ବିଶାଳ

ମହାଶୂନ୍ୟର ପାରେ,

ଏକଇ ନିମେଷ ପରେ ।

***

 

Image

 

 

ଭୁଲିଯାଅ ସଖୀ !

ପଛକଥା ମନୁଁ ଯେତେକ

ପଡ଼ି ରହୁ ବୀର ରୁସ୍ତମ ଶର-ଧନୁଜ !

ହାତେମ୍‌ତାଇର ଉତ୍ସବ-କଥା ଗୁଜବ,

କାଇଖୁସ୍ରୁର ତୁଚ୍ଛ ଆଢ଼େଣି ବିଭବ,

ଥାଉ ଐତିହେ, ଲେଖାଥାଉ ପଛେ

ଆସ ଗୋ,

ଆସ ମୋର ସାଥେ

ମଳୟ ମେଲିଛି ବାସ ଗୋ

ପ୍ରଣୟର ରସେ ସଜନୀ !

ପୁହାଇବା ଦିବା ରଜନୀ ।

***

 

୧୦

 

ଡାକେ ସମୀରଣ ଆସ ଗୋ ସଜନି !

ବହୁଦୂରେ ଯିବା ଚାଲି,

ସବୁଜ ଦୁର୍ବା, ପରିଧି ଯେଉଁଠି

ଅଲଗା କରିଛି ବାଲି ।

 

ରାଜା-ପରଜାର ସାନବଡ଼ ଅଭିମାନ,

ମାମୁଦ୍‌ସାହାର ଦୁର୍ବାର ଅଭିଯାନ,

ତୁଚ୍ଛ ମଣିବା ତହିଁ,

ଆମରି ପ୍ରଣୟ ମଧୁ ସୌରଭେ

ସୁରଭିତ ହେବ ମହୀ ।

***

 

Image

 

୧୧

 

ଏଇ ତରୁତଳେ ଘନପଲ୍ଲବ ବିତାନେ

ଜୀବନ ବଂଧୁ ବସି ମୋର ତୁଲେ ଗୋପନେ,

ପାଶେ ରଖି ଗୀତି ଚୟନିକା ଲଘୁ ଆହାର,

ଦ୍ରାକ୍ଷାମଦିରେ ଭରିଦେବ ସଖୀ ! ଆଧାର ।

ପାଶେ ବସି ଯେବେ

ଗାଇବ ସ୍ନିଗ୍‌ଧ-ରାଗିଣୀ

ଉତ୍ସଳ କରି ନିର୍ଜନ ମରୁ ବନାନୀ,

ତେବେ ଗୋ ସଜନୀ ! ମୁହିଁ,

ନିମେଷକ ଲାଗି ସ୍ୱର୍ଗ ମଣିବି

ରୁକ୍ଷ ଏ ମରୁଭୂଇଁ ।

***

 

୧୨

 

ଅଳକାର ସୁଖ- ସ୍ୱପ୍ନେ ବିଳସି

କରଇ କେ ହାହାକାର,

ରାଜପଣ ସୁଖ କଳ୍ପି ଭରମେ

ମରୀଚିକା-ଆଶା ସାର !

ବୀର ଦୁନ୍ଦୁଭି କାହିଁ କେଉଁ ଦୂରେ

ତହୁଁକି ମିଳିବ ପୁରେ ?

ସୁଷମା ସାଗରୁ ଛାଣିନିଅ ସୁଧା

ଅନାଗତ ରହୁ ଦୂରେ ।

ହାତେ ଯା’ ପାଇଛ ଲବ,

ସେତିକି ପ୍ରାପ୍ୟ ତବ ।

***

 

Image

 

୧୩

 

ଚାହିଁ ଦେଖ ସଖୀ ! ସଜଫୁଟା ଏ ଯେ

ଗୋଲାପ କହେ କି କଥା,

ହସ ହସ ମୁଖେ ପହିଲି-ବିକାଶ

କ୍ଷୁଦ୍ର ଜୀବନ ଗାଥା-

‘‘ରୂପଗୌରବେ ଏ ତନୁ କୋମଳ ଦଳ

ବିକଶିଲା ଯେବେ ଲବଣ୍ୟେ ଢଳ ଢଳ,

ରୂପ ସମ୍ପଦ, ଗନ୍ଧ ବିଭବ

ନିଗାଡ଼ି ଧରଣୀ ତଳେ-

ସହସା ପଡ଼ିଲି ଝରି

ସମୀରଣେ ଥରି ଥରି ।’’

***

 

୧୪

 

ଭୌତିକ-ଆଶା- କୁହୁକେ ଭ୍ରାନ୍ତି

ଭସ୍ମ ହୋଇଛି କେହୁ,

କେହି ବା ଲଭିଛି ଇପ୍‌ସିତ ଫଳ

ଆନ କେ ଗଣଇ ଢେଉ ।

 

ସେ ଆଶା ମାନସ ଭ୍ରମ

ଶୁଭ୍ର ତୁହିନ ସମ,

ଧୂସର ମଳିନ ମରୁ ମୁଖେ ଆଣେ

କ୍ଷଣିକ ଚମକ କାହୁଁ,

ଲିଭିଯାଏ ଚାହୁଁ ଚାହୁଁ ।

***

 

Image

 

୧୫

 

ସମ୍ପାଦିଥିଲେ ଯତ୍ନେ ଆହରି

ସୁନାର-ଶସ୍ୟ ଯେତେ

ବର୍ଷଣ ସମ ଉଡ଼ାଇଲେ ତହୁଁ

ଆନ କିଏ କେଉଁ ମତେ,

ସଭିଏଁ ମିଶିଲେ ମରଣ ଗର୍ଭେ ଯାଇ,

ଏ ସୁନା ରାଇଜେ ଫେରିବାର ଆଶା

ଦେହୀକେ ରଖିଛି କାହିଁ ?

***

 

୧୬

 

ଦିବସ ଯାମିନୀ ଯୁଗ୍ମ ଦୁଆର

ଜୀର୍ଣ୍ଣ ଏ ଧରା-ସରାଇ ଘରେ

ମୁକ୍ତ ସେ ପଥେ ସୁଲତାନ ଗଲେ

ଗୋଟିଏ ଗୋଟିକ ପରେ,

କ୍ଷଣିକ ରହଣି ସାରି,

ସରିଗଲା ଯହୁଁ ଦର୍ପ ବିଳାସ,

ନିଜ ପଥ ଅନୁସରି ।

***

 

୧୭

 

କାହିଁ ଜାମ୍‌ସିଏଦ ରଙ୍ଗମହଲ

ଇନ୍ଦ୍ରଭବନ ସମ,

କାହିଁ ଗଲା ତାର ମଦିରା-ବିଳାସ

ଉତ୍ସବ ଅନୁପମ;

ଏବେ ସେଇ ପୁରେ ଶାର୍ଦ୍ଦୂଳ କରେ ଖେଳ,

ତହିଁ ଚମଚଟା ଉର୍ଣ୍ଣନାଭର ମେଳ ।

କାହିଁ ବିଖ୍ୟାତ ଶିକାରୀ ବ୍ରାହାମ୍‌

ଶୋଇଛି ବାଲୁକାପୁରେ,

ତା ଶିରେ ଦୃପ୍ତ ବନ୍ୟ ରାସଭ

ଛୁଟଇ କ୍ଷିପ୍ର-ଖୁରେ ।

***

 

୧୮

 

ପ୍ରଣୟ-ଦଗ୍‌ଧ- ନରପତି, ଲହୁ

ମରଣେ ଦେଇଛି ଯହିଁ,

ରକ୍ତ ଗୋଲାପ ରକ୍ତିମତର

ବର୍ଣ୍ଣେ ଫୁଟଇ ତହିଁ ।

ବନେ ଉପବନେ

ବିକଶିତ ଯେତେ ଫୁଲ,

ବର୍ଣ୍ଣେ ଗନ୍ଧେ

ଭୁବନେ ନାହିଁ ଯା ତୁଲ;

ରସରଙ୍ଗିନୀ ଶିଥିଳ କବରୀ ଦେହୁଁ

ପଡ଼ିଛି କି ଖସି ବନେ ଉପବନେ

ପ୍ରିୟରେ ପ୍ରଣୟ ଦେଉଁ !

***

 

୧୯

 

ଏଇ ଯେ ତଟିନୀ-ଅଧର ଛୁଇଁଛି

ଶ୍ୟାମଳ ଦୁର୍ବାଦଳ,

ଦେହବଲ୍ଲରୀ ଧୀରେ ରଖ ତହିଁ,

ନ ଦିଅ ଗୋ ତନୁ-ଭରା;

କିଏ କହିପାରେ ସହି,

ପ୍ରଣୟ-ଦଗ୍‌ଧ-ଅଧର-ମଦିରେ

ଜନମି ଦୁର୍ବା ତହିଁ

ଅଜ୍ଞାତେ ଅବା

ସବୁଜ କରିଛି ମହୀ ।

***

 

୨୦

 

ତାଳିଦିଅ ପ୍ରିୟେ ରକ୍ତ-ମଦିରା

ପିଆଲା ମୋ ଭରିଦିଅ,

ଲିଭିଯାଉ ତହିଁ ଅତୀତ ଦୈନ୍ୟ,

ଅନାଗତ ଶତ ଭୟ;

ଆଗାମୀ କାଲିର ଅତି ପ୍ରତ୍ୟୁଷେ କିବା

କୋଟି କଳ୍ପର କକ୍ଷ ସେପାରେ

ଆମେ କାହିଁ ଭାସିଯିବା !

ବିସ୍ମୃତି ଆବରଣେ,

ମିଶିଯିବା ଅକାରଣେ ।

***

 

୨୧

 

ପରାଣୁ ବଳି ଯେ ଥିଲେ ପ୍ରିୟତର

ସୁନ୍ଦରୀ ସୋହାଗିନୀ,

ପ୍ରଣୟ- ପୀୟୂଷ ଥିଲେ ଯା’ସାଇତି

ମହାକାଳ ନେଲା ଟାଣି ।

ଅଳ୍ପ ଆଗରୁ ଜୀବନ-ପାତ୍ର

ନିଃଶେଷ କରି ଧୀରେ

ବିଶ୍ରାମ ଲାଗି ଗଲେ ଗୋଟି ଗୋଟି

ମରଣ-ତିମିର ତୀରେ ।

***

 

୨୨

 

ପୁରାତନ ଘରେ ପାହିଗଲା କେତେ

ମହା ଉତ୍ସବ ରାତି,

ତରୁଣ ପୀରତି- ବରଣେ ପୂରିଲା

କେତେ ଭାବେ ବେନି ଛାତି ।

ହସିଲାଣି ନୂଆ କୁସୁମେ କାନନ

ସମ୍ଭୋଗ ଯିବ ସରି,

ଯିବ ପରପାରେ କା’ଲାଗି ଆବର

ଏଇ ବାସ ପରିହରି,

କହିବ କି ସହଚରି ?

***

 

୨୩

 

ଏଇ ଧୂଳିଦେହେ ମିଶିବା ଆଗରୁ

ଆସ ଗୋ ବଂଧୁ ଆସ,

ଜ୍ୟୋତ୍ସ୍ନାର ମଧୁ ମୂର୍ଚ୍ଛନା ତଳେ

ଦେବା ଏ ଜୀବନ ଝାସ;

ସମୟ ଯେତିକି ବାକି,

ରୂପର ମାଧୁରୀ

ପୀରତି-ପୀୟୂଷ

ଅନ୍ତରେ ନେବା ଚାଖି ।

ସେପାରେ ମୃତ୍ୟୁ ଶୂନ୍ୟେ ମାରଇ ହାଇ,

ନୀରବ କଣ୍ଠ, ନ ମିଳଇ ସାକୀ

ଦୁର୍ଲଭ ସୁରା ତହିଁ ।

***

 

୨୪

 

ସଦ୍ୟ ଫଳର ଆଶାୟୀ କେହି ବା

କଷଣ ନିଅଇ ବରି,

ଆନକେ ସରଗ- ସପନେ ବିଭୋର

ମରୀଚିକା ଅନୁସରି;

ମୃତ୍ୟୁ ସେ ପାରେ ଉଚ୍ଚ-ମିନାରେ,

ଡାକଇ ମୁୟେଜ୍ଜିନୀ,

‘‘ମୂର୍ଖରେ, ଆରେ ଶୁଣ,

ଏ ପାରେ ସେ ପାରେ ନିଷ୍ଫଳ ତୋର

କ୍ରନ୍ଦନ ସକରୁଣ ।’’

***

 

Image

 

୨୫

 

ମନୀଷାର ବଳେ ଦର୍ଶନ-ପାରାବାର

ମନ୍ଥନ କରି ଆହରିଲେ ଯେହୁ

ସକଳ ତତ୍ତ୍ୱ ସାର,

ବିଜ୍ଞ-ମନୀଷୀ ନିର୍ବୋଧ ସମ

ଶୂନ୍ୟେ ପଡ଼ିଲେ ଧସି,

ତୁଚ୍ଛ ମଣଇ ଭୈରବ କାଳ,

ବିଦ୍ରୂପେ ଉଠେ ହସି-

ସ୍ୱର୍ଗ-ମର୍ତ୍ତ୍ୟ ସକଳ ବିଧାନ ବାଣୀ

ଧୂଳିର ପଟଳେ ରୁଦ୍ଧ କରଇ,

ଫୁତ୍‍କାରେ କରେ ପାଣି ।

***

 

୨୬

 

ଜ୍ଞାନଗର୍ବିତ ଗଳ୍ପ-ଚାତୁରୀ

କରୁଥାଉ ପୁରେ ବସି,

ସେ ପୁର ତିଆଗି ଆସ ଗୋ ସଜନି,

ଯିବା ଚାଲି ହସି ହସି ।

ସବୁ କଥା ପରେ ଏକଇ ସତ୍ୟ-

ଏ ଜୀବନ ଯାଏ ବହି,

ଏକଇ ସତ୍ୟ- ଏଇ ଯେ ଜୀବନ,

ବାକି ସବୁ ମିଛ ସହି !

ଫୁଲ ଫୁଟି ଗଲେ ଝଡ଼ି

ବୃନ୍ତେ ନୁହଇ ଧରି ।

***

 

Image

 

୨୭

 

ଚପଳ କିଶୋର ମନେ ଘେନାଇ ମୁଁ

ଭେଟିଥିଲି ମହାମତି,

ତର୍କର ଜାଲ ବିଛାଇ ରୋଧିଲେ,

ପଶି ନ ପାରିଲି କତି ।

ବିଷମ ଧନ୍ଦା, ଯେ ପଥେ ପଶିଲି

ବାହୁଡ଼ିଲି ସେଇ ପଥେ,

ଉଦ୍‌ବେଗ ଊଣା ନୋହିଲା, ଫେରିଲି

ଭଗ୍ନ ମୋ ମନୋରଥେ ।

***

 

୨୮

 

ଗୁଣୀ ଜନ ସାଥେ ଯତନେ ରୋପିଲି

ମନୀଷାର ବୀଜ ଯେତେ,

ଲାଳନ-ପାଳନ କର୍ଷଣ ଲାଗି

କଷଣ ସହିଲି କେତେ;

ଶ୍ରମ ଗଲା ଅକାରଣେ,

ଜଳସମ ଆସି ବାଷ୍ପ ରୂପରେ

ମିଶିଯିବା ସମୀରଣେ;

ଏତିକି ସତ୍ୟ ତହିଁ,

ଅନ୍ତେ ମୁଁ ବୁଝିଲଇଁ ।।

***

 

୨୯

 

ଜାଣେନା କି ଲାଗି ଆସିଲି ମୁଁ ଭାସି

ବିପୁଳ-ବିଶ୍ୱ-ତୀରେ,

କାହୁଁ ଦିଶହରା ନିର୍ଝର ସମ

ଫେନିଳ ଦୃପ୍ତ ନୀରେ;

କି ଲାଗି ଏ ଅଭିଯାନ ?

ମିଶିବଇଁ କେଉଁ ଦୂର ଦିଗନ୍ତେ

ଧୂସର ଝଞ୍ଜା ସମ ।

***

 

୩୦

 

ଅଜାଣତେ ଦୂର ଅଜଣା ରାଇଜୁଁ

ଭାସି ମୁଁ ଆସିଲି କାହିଁ,

ଆବର ସେ କେଉଁ ଦୂର ଦିଗନ୍ତେ

ଯିବି ଚାଲି ପଥ ବାହି;

ପଚାରିନି କେହି ଦିନେ ତାର ସମାଚାର,

ଢାଳିଦିଅ ପ୍ରିୟେ ମଦିରା ପାତ୍ରେ

ଲିଭିଯାଉ ସ୍ମୃତି ତାର,

ଦୁର୍ବହ ଅବିଚାର !!

***

 

Image

 

୩୧

 

ଅବନୀର ସୀମା ପରପାରେ ଗ୍ରହ-

କକ୍ଷ ଭେଦିଲି ହେଳେ,

ବୁଝିଲି ମାନବ- ଆୟାସ-ଲବ୍‍ଧ

କୋଟି କଳା କଉଶଳେ,

ଛେଦିଲି ଗ୍ରନ୍ଥି ଶତ;

ମାନବ-ଭାଗ୍ୟ- ମରଣ ଗ୍ରନ୍ଥି

ରହିଗଲା ଅନାହତ,

ପ୍ରଜ୍ଞା ମୋ ପରାହତ ।

***

 

୩୨

 

ମାନବ ଭାଗ୍ୟ ରୁଦ୍ଧ ଦୁଆର,

କୀଳକ ନପାରେ ଛେଦି,

ଆବୃତ ତହିଁ ସୂକ୍ଷ୍ମ ପରଦା

ଦୃଷ୍ଟି ନପାରେ ଭେଦି;

କ୍ଷଣିକ ଏ ଅବସରେ

‘ତୁମେ-ମୁହିଁ’ ବେନି ମଧୁଗୁଞ୍ଜନ,

ଭାଷଇ କମ୍ର ସୁରେ ।

ନିମେଷ ଜୀବନ କଥା

ଅନ୍ତିମେ-ନୀରବତା ।

***

 

୩୩

 

ଚିର-ଚଞ୍ଚଳ ଅମ୍ବର-ମୁଖେ ଚାହିଁ

ଉଦ୍‌ବେଗେ ପୁଛେ,

‘‘କାହିଁରେ ଆଲୋକ, କାହିଁ ?

ପଥହରା ଶିଶୁ କେସନେ ଚାଲିବ ପଥ,

ନିୟତିର କେଉଁ ଆଲୋକ ନିରେଖି

ବାହିବ ଜୀବନ ରଥ ?’’

ଶୂନ୍ୟ କହଇ ଧୀରେ-

‘‘ଅନ୍ଧ ଭାବନା-ସାହା ଏକା ତୋର

ସାନ୍ଦ୍ର ତମସାତୀରେ ।’’

***

 

୩୪

 

ଜୀବନ-ଗୁପ୍ତ-ଉତ୍ସ କିଏ ବା

ଜାଣିବାକୁ ଏଇ ପୁରେ

ଭରମିଲି, ଶେଷ; ମାଟିର ପିଆଲା

ଧରିଲି ତୃଷ୍ଣାତୁରେ;

ଆପଣା ଅଧରେ

ଅଧର ତା’ ପରଶିଲି,

‘ସବୁ କଥା ପରେ ଭଲ କିଏ ସଖୀ’ ?

ଅନୁରାଗେ ପଚାରିଲି;

ସେ କହେ ! ‘‘ବଂଧୁ-ଆଜୀବନ ସୁରା

ଆକଣ୍ଠ କର ପାନ,

ଗଲେ ଚାଲି ଥରେ ଜୀବନ-ମଦିରା

ନ ମିଳଇ କଦାଚନ ।’’

***

 

୩୫

 

ଭାବେ, ନିର୍ଜୀବ ମଦିରା ପାତ୍ର

ଜୀବନ-ପରଶ ପାଇ

ଶଙ୍କିତେ ଅବା ସଞ୍ଚିତ ବ୍ୟଥା

ନିରଜନେ ଯାଏ ଗାଇ-

‘‘ଜୀବନର ଶତ ମହା ଉତ୍ସବେ

ବିତରି ଦ୍ରାକ୍ଷାସାର

ଅଧର-ପରଶ ଘେନି ଘେନାଇଛି

ଏ ଜୀବନ ବାରବାର,

ନୁହଇ ତ ଭୁଲିବାର ।’’

***

 

୩୬

 

ବିପଣୀର ପଥେ ଗୋଧୂଳି ଲଗନେ

ଘଟ ରଚେ ଘଟକାର,

ଆର୍ଦ୍ର ମାଟିରେ ମୁଷ୍ଟି ଆଘାତେ

ଦଳିଯାଏ ବାରବାର ।

ବ୍ୟଥିତ କଂଠେ ଘଟ କହେ ଧୀରେ

ଦାରୁଣ ଆଘାତ ପାଇ,

‘‘ଭାଗ୍ୟହୀନର ଦରଦୀ ମରମ

ବଂଧୁ, ବୁଝ କି ନାହିଁ ?

ଆସ୍ତେ ଦଳିବ କରେ,

ଏତିକି ମିନତି କରେ ।’’

***

 

Image

 

୩୭

 

‘ଜୀର୍ଣ୍ଣ ଜୀବନ ଚାହୁଁ ଆସେ ସରି

କି ଲାଭ ସଜନି, କହି ରେ,

ଏ ମୋର ପାତ୍ରେ ଭରିଦିଅ ସୁରା,

ଶୋଚନା କି ଲାଗି ସହିରେ ?

‘ଗତକାଲି’-ସେ ତ ମରଣ ସେପାରେ,

‘ଅନାଗତ’-କେଉଁ ସୁଦୂର

କିଲାଗି ଭାବନା-

ଆଜି ଏ ବାସର ମଧୁମୟ ଯେବେ

କରିପାର ମଧୁ ଋତୁରେ ?

***

 

୩୮

 

କେତେକାଳ ଆଉ ଶୂନ୍ୟର ଲାଗି ଶୋଚନା,

କି ହେବ ବିଫଳ ଗୀତି ନିତି କରି ରଚନା ?

ଆସ ଆସ ସଖୀ ! ତିକ୍ତ କଳହ ତିଆଗି,

ତା ତହୁଁ ମଧୁର ଦ୍ରାକ୍ଷା ମଦିରା-

ବିଳାସେ ବିଳସ ସୋହାଗି !

ଯାଉ ଅବସାଦ-ରଜନୀ,

ତିକ୍ତ ଜୀବନ-ପଥ ମଧୁମୟ

ଅମୃତ କର ସଜନୀ !

***

 

Image

 

୩୯

 

ଏକଇ ନିମେଷ

ମୃତ୍ୟୁ-ଜଡ଼ିତ,

ରୁକ୍ଷ ଏ ମରୁବାସ,

ନିମେଷ-ଭୋଗ୍ୟ

ଜୀବନ-ଉତ୍ସ

ପ୍ରୀତି-କଉତୁକ-ରାସ;

ଲିଭିଆସେ ଆୟୁ-ତାରକା-ଦୀପ୍ତି

ଦିଗନ୍ତ ପରପାର,

ବ୍ୟର୍ଥ ସେ କେଉଁ ପ୍ରଭାତର ଲାଗି

ସାଥୀ ହୁଏ ଆଗୁସାର ।

ନାହିଁ ତ ସମୟ ଲେଶ,

ସତ୍ୱର ସହି, ପୂର୍ଣ୍ଣ କର ଗୋ

ଉତ୍ସବ ଅବଶେଷ ।

***

 

୪୦

 

ଜାଣ କି ବଂଧୁ, ଅତୀତ ଜୀବନେ

ରୁକ୍ଷ ମନୀଷା-ବଧୂ-

କଲି ପରିଣୟ, ପ୍ରଣୟେ ତା’ ତୁଲେ

ସଞ୍ଚିଲି ଯେତେ ମଧୁ,

ମଧୁ ନୁହେଁ ସେ ତ, ଗରଳ କି ହୁତାଶନ !

ବଂଧ୍ୟା ବଧୂରେ କଲି ମୁଁ ନିର୍ବାସନ ।

ଆବର ବରିଲି ରକ୍ତିମ ସୁରା

ସଙ୍ଗିନୀ ପ୍ରିୟତମା,

ଦ୍ରାକ୍ଷାଲତାର ଲଳିତା କନ୍ୟା

ବନ୍ଦିତା ମନୋରମା ।

***

 

୪୧

 

କୈଶୋରେ କେତେ

ସତ୍ୟ, ମିଥ୍ୟା, ନୀତି

ମନର ଗହୀରେ

କର୍ଷଣ କଲି ନିତି;

ଦଶ ଦିଗେ ପୁଣି ଊର୍ଦ୍ଧ୍ୱେ, ନିମ୍ନେ ଚାହିଁ

ସୂତ୍ର ବଖାଣି ବୁଝିଲି ଯା କିଛି ସହି,

ଜାଣିଲି ତା ତହୁଁ

ମଧୁର ଦ୍ରାକ୍ଷାସବ,

ମନୀଷାରୁ ବଳି ସୁଗଭୀର ଯା’ର

ମଧୁମୟ ଅନୁଭବ ।

***

 

୪୨

 

ଗୋଧୂଳି ଲଗନେ ସରାଇ ଦୁଆରେ

ସନ୍ଧ୍ୟାରେ ସହଚରୀ

ଆସିଲା ଗୋପନେ, ଅପ୍‌ସରା ଏକ

କକ୍ଷେ କଳସୀ ଧରି -

ଭରିଥିଲା ସୁଧା, ଯାଚିଲା ଅଧର ପାନ,

ମନ-ଉଲ୍ଲାସେ କହିଲି-କର ଗୋ ଦାନ;

ଅଧର ମୋ ଦେଲି ପାତି

ସେତ ପୁରାତନ ଦ୍ରାକ୍ଷାମଦିରା

ବୁଝିଲି ତା ପରିଚିତ ।

***

 

Image

 

୪୩

 

ସେଇ ପୁରାତନ ଦ୍ରାକ୍ଷାମଦିରା -

ଅମୋଘ କାଉଁରୀ ଲଭି

ଶତ ଧର୍ମର ଘୃଣ୍ୟ ବିଭେଦ

ଆପେ ଆପେ ଯାଏ ଲିଭି,

ଦର୍ପ ହୁଅଇ ଚୂନା;

ଆଲ୍‌କେମିୟାର ଶ୍ରେଷ୍ଠ ସେ ରସାୟନ

ତୁଚ୍ଛ ଧାତୁର ମର ନର ଦେହ

ପଲକେ କରଇ ସୁନା ।

***

 

୪୪

 

ମାମୁଦ୍‌ସାହାର

ଦିଗ୍‌ଜୟୀ ଅସି ଧାର,

ଦ୍ରାକ୍ଷାମଦିରା

ତହୁଁ ବଳି ବଳୀୟାର,

ଯାହାର କୁହୁକେ

ଅବିଶ୍ୱାସୀର ନିଶ୍ଚିତ ପରାଜୟ,

ଆତ୍ମାର ଶତ ଭ୍ରାନ୍ତି କାଳିମା

କଳଙ୍କ ଲଭେ ଲୟ,

କାହିଁ ତାର ପରାଜୟ ?

***

 

Image

 

୪୫

 

କରେ କର ଥାପି ଆସ ଗୋ ସଜନି

ଯିବା ଚାଲି ନିରଜନେ,

ଭୁଲିବା ବିଶ୍ୱ ତତ୍ତ୍ୱ - ବିଚାର

ପ୍ରୀତି-କୌତୁକ ଦାନେ;

ଥାଉ ବିଜ୍ଞାନୀ ଚତୁର ତର୍କେ,

କରୁଥାଉ ଅଭିମାନ,

ନିୟତି ଯେ ଖେଳ ଖେଳେ ଆମ ସାଥେ

ସେଇ ଖେଳ ପ୍ରୟତମ,

ଖେଳିଯିବା ଅବିରାମ ।

***

 

୪୬

 

ଚାହିଁ ଦଶ ଦିଶେ ଅନ୍ତରେ ପୁଣି

ବାହାରେ ଦେଖିଲି ଯାହା,

ଘୂର୍ଣ୍ଣି ରଚଇ ଛାୟା-ବାଜି ସମ

ନର-ନାରୀ ରୂପମାୟା ।

‘ଦୀପ୍ତ-ତପନ-ଅକ୍ଷ’ର ଚଉପାଶେ

ପର୍ଯ୍ୟାୟ ରଚି କୁହୁକ ଫାନୁସେ

ଜୀବନ ମୃତ୍ୟୁ ଭାସେ,

ଏକ ପରେ ଆନ ଆସେ ।

***

 

Image

 

୪୭

 

ଅଧରେ ଅଧର ମୁଗ୍‌ଧ ପରଶ

ଦୁର୍ଲଭ ସୁରା-ପାନ,

‘ଯେତେ ଯାହା ଭଲ ମିଶିବ ଶୂନ୍ୟେ’

ଏଇ ଯଦି ପରିଣାମ,

ମନେ ରଖ ସଖୀ,

ଜୀବନ ତୁମର ତାହାରି ରୂପାନ୍ତର,

ଶୂନ୍ୟତା ତହୁଁ ତୁମେ ଅବା କାହୁଁ

ହୋଇବ ନିଊନତର ?

***

 

୪୮

 

ରକ୍ତ ଗୋଲାପ ହସିଥିଲା ଯେବେ

ତଟ-ଉପବନେ ସହି,

ବାହିନେଲ କାଳ ବଂଧୁ ସାଥିରେ

ରକ୍ତିମ ସୁରା ପିଇ ।

କୃଷ୍ଣ-ମଦିରା ଆଣି ଉଭା ହେବ

ମୃତ୍ୟୁର ଦୂତ ଯେବେ,

ନିର୍ଭୟେ ତୁମେ ଘେନିବ ସଜନି,

କୁଣ୍ଠା ନ କରି ଲବେ;

ବଢ଼ାଇବ ବେନି କର

ଚିତ୍ତେ ନ ରଖି ଡର ।

***

 

୪୯

 

ବଡ଼ ବିଚିତ୍ର ନ୍ୟାୟବଳ-ପାଲି

ନିୟତି ଦେଇଛି ପାରି,

ଦିବସ-ଯାମିନୀ ଅଦ୍ଭୁତ ଛକି,

‘ଗୋଟି’ ରୂପେ ନରନାରୀ ।

ବାମେ ବାମେତରେ ଏକ ଦିଗେ ଅବା

ଆନ ପଥେ କେହୁ ଚଳେ,

ବଞ୍ଚଇ କେବା, ମରି ଶୁଏ ଆନ

ନିୟତି ଇଚ୍ଛା ବଳେ;

କକ୍ଷୁଁ ନପାରେ ହଟି,

ଖେଳ ଅବସନେ ବିରାଟ ଶୂନ୍ୟ-

ଗର୍ଭେ ଚଳାଇ ‘ଗୋଟି’ ।

***

 

୫୦

 

ନର-‘ଗୋଟି’ ଦେହେଁ କାହିଁ ପୌରୁଷ

କାହିଁ ସ୍ୱାଧୀନତା ତାର ?

ରଜ୍ଜୁ ଧରିଛି ଅଜ୍ଞାତ ଜନ,

ବିଚିତ୍ର କାରବାର;

ଜୟ-ପରାଜୟ ଜୀବନ-ମରଣ

ତାହାରି କରଣୀ ଯେତେ,

ସେ ଜାଣେ କି ଲାଗି ଏ ପାରେ ସେ ପାରେ

ଟାଣଇ ଇଚ୍ଛାମତେ,

ସେଇ ଜାଣେ ସବୁ ଖେଳ

ଅଦ୍ଭୁତ ନ୍ୟାୟବଳ ।

***

 

୫୧

 

ନିୟତି ଯେ ଲିପି ଲେଖିଛି ଲଲାଟେ

ଅଙ୍ଗୁଳି ଧୀରେ ଚାଳି,

ଆନ କେ କରିବ ତହୁଁ ଏକ ପଦ

ନୟନ-ଅଶ୍ରୁ ଢାଳି ?

ପ୍ରଜ୍ଞାର ବଳେ, ପୁଣ୍ୟ-ବିଧାନେ

ସବିନୟ ଅନୁନୟେ

ପାରିବନି କେହି ଲେଉଟାଇ ତାରେ,

ସେ ଲେଖା ବଜ୍ର ପ୍ରାୟେ ।

***

 

୫୨

 

ଏଇତ ଆକାଶ ସାମିଆନା ସମ

ବିସ୍ତୃତ ଚଉପାଶେ,

ଜୀବନ-ମରଣ-ସଂଗ୍ରାମେ ନତ ନର

ନିମ୍ନେ ଯାହାର ଅଭିନୟ ପରକାଶେ ।

କର ତୋଳି ତାରେ ମିନତି କି ଲାଗି କର ?

ଆମ ପରି ସେ ତ ଚିର ଅଥର୍ବ,

ନିର୍‌ବୋଧ ଘୋରତର !

***

 

୫୩

 

ସୃଷ୍ଟି ପ୍ରଥମ ମାଟିରୁ ଯେ ଦିନ

ଜନ୍ମ ଲଭିଲା ପହିଲେ ନର,

ସେଇ ମାଟି ଦେହେ ନିୟତି ନିହିଛି

ମାନବ ଭାଗ୍ୟ ଚରମ ଫଳ;

ଆବର ନିହିଛି କର୍ମର ବୀଜ

ଅନ୍ତିମେ ଯାହା ଫଳିବ ଏଥି,

ଅଭ୍ୟୁଦୟର ପ୍ରଥମ ଉଷାରେ

ପଢ଼ାହେବ ସେଇ ଯୋଜନା-ନଥି ।

***

 

୫୪

 

ଶୂନ୍ୟ ସେ କେଉଁ ପରମ ଅଂଶୁଁ

ଆସିଲି ଭାସି ମୁଁ ଧରଣୀ ଦେହେ,

ଗ୍ରହଗୁରୁ ତେଜେ ଚିର ଭାସ୍ୱର

ଦୀପ୍ତ ସେ ଏକ ଅଶ୍ୱ ଗେହେ;

କଳ୍ପିତ ମୋର ଧୂଳିର ଶରୀରେ

ଏ ମୋର ଆତ୍ମାତଳେ,

ଜାଣ କି ସଜନି, ଅଲିଭା କାହାର

ସଂକେତ ପ୍ରତିଫଳେ ?

***

 

୫୫

 

ସଂକେତ ସେଇ ଦ୍ରାକ୍ଷାଲତାର

ଜଡ଼ିତ ବଂଧୁ ଏ ଦେହେ ମମ,

ବିଦ୍ରୂପ କରେ ତୁଚ୍ଛ ଦେହରେ

ନିର୍ବୋଧ କେହି ଅଜ୍ଞ ଜନ ।

ସେଇ ଜଡ଼ ଦେହେ କୁହେଳିକା ରଚି

ଖୋଲିଲେ ଖୋଲିବ ମନ-ଦେଉଳ,

ନପାଇ ଗୁମର ଚିତ୍‌କାରେ ସୁଫୀ

‘‘ମନ୍ଦିର ଖୋଲ-ଦୁଆର ଖୋଲ ।’’

***

 

୫୬

 

ଅନୁରାଗେ ଅବା ବିରାଗେ ଦୀପ୍ତ

ସତ୍ୟ-ପ୍ରଦୀପ-ଅମର-ଶିଖା,

ନିଃଶେଷେ ଆଜି ଭାସ୍ୱର କରୁ

ମନମନ୍ଦିର ପରାଣସଖା;

ସଂକେତ ତାର ମିଳଇ ଯଦିବା

ମାଟିର ଜୀର୍ଣ୍ଣ ସରାଇ ଘରେ,

କି ଲାଗି ମାନବ ଢାଳଇ ଅଶ୍ରୁ,

ମନ୍ଦିରେ ଡାକେ ଉଚ୍ଚ ସ୍ୱରେ ?

***

 

୫୭

 

ଚଲାପଥେ ମୋର ଦୁଷ୍କୃତ ଲାଗି

ସରଜିଲ ଖାଲ-ଖମା,

ସ୍ଖଳନ ମନାସି ବସାଇଲ ଫାଶ

କଲ ନିତି ପଥବଣା ;

ପଡ଼ିଗଲେ ଖସି ତୁମ ହାତଗଢ଼ା

ଏଇ ପିଚ୍ଛିଳ ପଥେ,

‘ନିଜ ଅର୍ଜିତ ପାପ ପରିଣାମ’

ବୋଲି କହ କେଉଁମତେ ?

***

 

୫୮

 

ସରଜିଲ ତୁମେ ତୁଚ୍ଛ ଧାତୁରେ

ସୁନ୍ଦର ନରନାରୀ.

ନନ୍ଦନ ବନେ କାଳକୂଟ ଭୋଗୀ

ଥାପିଲ ବା କେଉଁପରି ?

ଲେପିଲ ଘୃଣ୍ୟ କଳଙ୍କ ଯେତେ

ମାନବ ଶୁଭ୍ରାନନେ,

କ୍ଷମ ହେ ତାହାର ସବୁ ଅପରାଧ,

କ୍ଷମା ଘେନ ତାର ତୁମେ ।

***

 

୫୯

 

କୁଜାନାମା-

ରମ୍‌ଜାନ୍‌ ତିଥି ପାରଣା ଅନ୍ତେ ସଜନି,

ଉଇଁ ନାହିଁ ଶଶି, ତିମିରିତ ଘନ ରଜନୀ;

ପୁରାତନ ସେଇ କୁମ୍ଭକାରର ସଦନେ

ପ୍ରବେଶି ଦେଖିଲି ଜନଶୂନ୍ୟ ଏ ଭବନେ,

ନିର୍ବାକ ଘଟ ଧାଡ଼ି ଧାଡ଼ି ଚଉପାଶେ

ବେଢ଼ି ରହି ମୋର ଅନାଏ ନିର୍ନିମେଷେ

ସୁଦୂର ଶୂନ୍ୟାକାଶେ ।

***

 

୬୦

 

ବଡ଼ ବିଚିତ୍ର ଲାଗଇ ସଜନି,

ଘଟମୂଖେ ଶୁଣି ବାଣୀ,

କେହି ବା ମୌନ, ମୁଖର ଆନ କେ,

ଅନ୍ତରୁ କଥା ଟାଣି

ଉଦ୍‍ବେଗେ ପୁଛେ, “ଭାଇ-

କିଏ ଘଟକାର, ଘଟ ଅବା କିଏ,

ଜନମ କେ କାହା ପାଇଁ ?’’

***

 

୬୧

 

ଉନ୍‌ମନେ ପୁଛେ ଆନ ଘଟ ଧୀରେ,

‘‘ମାଟିର ଏ କଳେବର,

ବ୍ୟର୍ଥ କି ସବୁ ବିଶ୍ୱ ଉରସେ,

ନାହିଁ କି ମୂଲ୍ୟ ତାର ?

ମାଟିର ଏ ତନୁ ରୂପ ସମ୍ଭାରେ

ସରଜିଲା ଯେଉଁ ଜନ,

କେସନେ ଏ ଦେହ ଦଳି ମିଶାଇବ

ସେଇ ମାଟିଦେହେ ପୁଣ ?’’

***

 

୬୨

 

କ୍ଷଣକୋପୀ ଶିଶୁ କଲା ଯେ ପାତ୍ରୁଁ

ଉଲ୍ଲାସେ ସୁଧା ପାନ,

କେସନେ ତାହାରେ ଭାଙ୍ଗିବ କହ,

ସେ କି ଏଡ଼େ ହୀନିମାନ ?

ସରଜିଲା ଯେହୁ ପରମ ଆଧାର

ଅନ୍ତର ଅନୁରାଗେ,

ସର୍ଜନା-ପ୍ରୀତି ତୁଟାଇ କେସନେ

ଦଳିବ ରୁଷ୍ଟ ଭାବେ ?

***

 

Image

 

୬୩

 

ଉତ୍ତର ନାହିଁ, ନମିଳେ କଥାର,

କ୍ଷଣ-ମୌନତା ପରେ

ବିକଳ ବିରୂପ ନମିତ ଭାଷିଲା

ଘଟ ଏକ କ୍ଷୀଣ ସ୍ୱରେ-

କମ୍ପିତ କରେ କି ଲାଗି ବିହିଲା

ରୂପ ମୋର ଘଟକାର,

ଯା ଲାଗି ଜୀବନେ ଶତ ବିଦ୍ରୂପ

ଲାଞ୍ଛନା ଅବିଚାର

ସହିଲି ମୁଁ ବାରବାର ?

***

 

୬୪

 

ଆନ ଘଟ କହେ ଜାଣ କି ବଂଧୁ,

ସେ ପରିବେଷକ କଥା ?

ନିର୍ମମ କହେ ରୁକ୍ଷ ବଚନ,

ତିଳେ ନାହିଁ ଶିଷ୍ଟତା;

ଶତ ନରକର ଧୂମେ ବିକୃତ

ମୁଖମଣ୍ଡଳ କରି

ପରଖିବ ଆମ ଜୀବନ-ମୂଲ୍ୟ

ଧର୍ମ ନିକିତି ଧରି,

କିବା ତାର କାରବାର,

ପାଇବା ଟି ସୁବିଚାର !!

***

 

୬୫

 

ଆନ ଘଟ ତହୁଁ ବିକଳେ କହଇ

ଦୀର୍ଘ ଶୁଆସ ତୋଳି,

‘‘ବିସ୍ତୃତି ତଳେ ମୋ ଜୀବନ କଥା

ସକଳେ ଗଲେଣି ଭୁଲି;

ମାତର ଏ ଦେହ ଶୁଷ୍କ ହେଲେ ବି ଭାଇ,

ପୁରାତନ ସୀଧୁ-ରସେ ରସମୟ-

କଲେ ମୁଁ ଉଠିବି ଜିଇଁ ।’’

***

 

୬୬

 

କଳ୍ପନା ମେଳେ ଘଟ ଏକ ଚାହେଁ,

ଚାନ୍ଦିନୀ ଇଦ୍‌ ରାତି-

ମଣ୍ଡନ କରି ବାଞ୍ଛିତ କ୍ଷୀଣ

ଚନ୍ଦ୍ରମା ଉଠେ ଭାତି ।

ଘଟ ଏକ ଆନେ ଆଶ୍ଳେଷି କହେ,

‘‘ବାହକ ସ୍କନ୍ଧ ଭାଇ,

ରସ-ଗୌରବେ ଫାଟିପଡ଼େ ଦେଖ,

ଲଘୁତା ଗଲାଣି କାହିଁ ?’’

***

 

୬୭

 

ନିଃଶେଷ ଯେବେ ହୋଇବ ସଜନି !

ଏ ଦେହୁଁ ଜୀବନଧାରା,

ଚେତନା ଆଣିବ ଦ୍ରାକ୍ଷାର ରସେ

ରସାଣି ଏ ଦେହ ସାରା;

ମୋ ଶବ ନିହିବ ସେଇ ଦ୍ରାକ୍ଷାର

ପଲ୍ଲବ ତଳପରେ,

ପୁଷ୍ପ-ବୀଥିକା ତଳେ ମୋ ସମାଧି

ରଚିବ ଆପଣା କରେ ।

***

 

୬୮

 

ସମାଧି-ତଳପ- ଧୂଳି ଦେହୁଁ ସୁରା

ସୁବାସିତ ସମୀରଣ

ସଞ୍ଚରି ଯିବ ଗଗନେ ଭୁବନେ

ଲୁଣ୍ଠନ କରି ପ୍ରାଣ;

ଅଜ୍ଞାତେ ବାସ-ବନ୍ଧନେ ଦେବେ

ବକଧାର୍ମିକ ଧରା,

ଉନ୍‌ମାଦ ସମ ମଦିର ଗନ୍ଧେ

ହୋଇବେ ଆତ୍ମହରା ।

ନିବିଡ଼ ଆକର୍ଷଣ

ରୋଧିବ କେ ବଳବାନ !

***

 

୬୯

 

ପୂଜାର ପିତୁଳା ବୋଲି ଯା’ ପୂଜିଲି

ଅପବାଦ ବହି ଶିରେ,

ଜନତା ନେତ୍ରେ ତା’ଲାଗି ମହତ

ସମ୍ଭ୍ରମ ଗଲା ଧୀରେ;

ଅଗଭୀର ସୁରା ପାତ୍ରେ ଲିଭିଲା

ଜୀବନର ଗୀତି ମୂଲ,

ତୁଚ୍ଛ ବୋଲି ଯା’ ହସି ଉଡ଼ାଇଲେ,

ହେଲା ସମ୍ମାନ ଜୂର ।

***

 

୭୦

 

ଦୁଷ୍କୃତ ଲାଗି କଲି ଅନୁତାପ

ମରମେ ବୁହାଇ ବ୍ୟଥା,

ଅନୁତାପ କେଭେଁ ନୁହଇ ତ ମୋର

ସୁସ୍ଥ ମନର କଥା ।

ଲକ୍ଷ ଆଶାର କୁସୁମ ଦୋଳାଇ

ଆସେ ବସନ୍ତ ଦିବା,

ଅନୁତାପ ଉଡ଼େ ମତ୍ତ ମଳୟେ

ପଳିତ ପତ୍ର କିବା !

***

 

୭୧

 

ଦ୍ରାକ୍ଷା ମଦିରା ଜୀବନେ ଦେଇଛି

ଅପବାଦ ଅନିବାର,

ବିଶ୍ୱାସଘାତୀ ତା ଲାଗି ମହତ

ହରାଇଛି ବାରବାର ।

କହି କି ପାରିବ ମଦିରାରୁ ଭଲ

କି ଅଛି ଭୁବନତ୍ରୟେ ?

ମୁଲ୍ୟ କି ଛାର ଲଭେ ବିକ୍ରେତା

ଅମୃତ ବିନିମୟେ !!

***

 

୭୨

 

ଝରି ଯିବ ଯେବେ ଗଂଧ-ଉଛୁଳା

କାନନ-କୁସୁମରାଶି,

ନବ ବସନ୍ତ ମୁଗ୍‌ଧ ଝଲକ

କାଳ ସୁଏ ଯିବ ଭାସି ।

ସହକାର ବନ ବଉଳ ସାଥିରେ

କୋଇଲିର କୁହୁ-ପ୍ରାସ

ଯିବ ଚାଲି ବହୁଦୂରେ-

କିଏ ଜାଣେ କେଉଁ ପୁରେ ?

***

 

୭୩

 

ନିୟତିର ତୁଲେ ପାରିବା ଗୋ ଯେବେ

ବାରେ ମନ୍ତ୍ରଣା କରି,

ଦୈନ୍ୟ-ଜଡ଼ିତ ନିଖିଳ ଯୋଜନା

ଦୁର୍ମଦ ସମ ଦଳି;

କରି କି ପାରିବା ନାହିଁ

ଆମ ମନ ଲାଖି ନୂଆ ସର୍ଜନା

ଅନ୍ତର ଅନୁଯାୟୀ ?

 

 

୭୪

 

ଚିର ଅମ୍ଳାନ ମାନସ-ଶଶି ମୋ’,

ଚାହିଁ ଦେଖ ନଭେ ଚନ୍ଦ୍ରକଳା

ବାର ବାର ଉଇଁ କୌମୁଦୀ ଦାନେ

ତୋଷିବ ଯୁଗଳ-ପ୍ରଣୟ-ଭୋଳା,

ବନ ବୀଥି ତଳୁ ଚାହିଁବ ଜ୍ୟୋସ୍ନା

ନୟନ ମେଲି,

ଆମେ ତ ନ ଥିବା, ନ ଥିବ ଆମର

ପ୍ରଣୟ-କେଳି;

ଦୂର ପଥେ ଥିବା କାହିଁ,

ସେ ଦିନ ବ୍ୟର୍ଥ ଚାରୁ ଚନ୍ଦ୍ରିକା

ହେବ ନିକି ଆମ ପାଇଁ ?

***

 

Image

 

୭୫

 

ଚିତ୍ରିତ ତାରା ପରାୟେ ଅତିଥି

ବସିଥିବେ ବନଭୂମେ,

ମୁଗ୍‌ଧ ମାନସେ ଚରଣ ଚଳାଇ

ପରଷିବ ସୁରା ତୁମେ;

ପୁରାତନ ମୋର ଆସ୍ଥାନ ପରେ

ନିମେଷ ମାତର ରହି

ଉଗାଡ଼ି ରଖିବା ଶୁନ୍ୟ ପାତ୍ର,

ନ ଭୁଲିବ ପ୍ରିୟ ସହି !

***